Categories: ଜାତୀୟ

ଆନ୍ତଃ ସେବା ସଙ୍ଗଠନ ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ,୯ା୮(ପି.ଟି.): ଆନ୍ତଃ ସେବା ସଂଗଠନ ବିଲ୍‌ ମଙ୍ଗଳବାର ପାର୍ଲାମେଣ୍ଟର ମଞ୍ଜୁରୀ ଲାଭ କରିଛି। ଆନ୍ତଃ ସେବା ସଂଗଠନଗୁଡ଼ିକର କମାଣ୍ଡର-ଇନ୍‌-ଚିଫ୍‌ ଏବଂ ଅଫିସର-ଇନ୍‌-କମାଣ୍ଡଙ୍କୁ ଉକ୍ତ ପ୍ରତିଷ୍ଠାନ ଅଧୀନରେ ଅନ୍ୟ ସୁରକ୍ଷା ବଳରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ ଓ ପ୍ରଶାସନିକ କ୍ଷମତା ଦେବା ଏହି ବିଲ୍‌ର ଉଦ୍ଦେଶ୍ୟ। ମଙ୍ଗଳବାର ରାଜ୍ୟ ସଭାରେ ଧ୍ୱନିମତରେ ଉକ୍ତ ବିଲ୍‌ ଗୃହୀତ ହୋଇଛି। ଗତ ୪ ତାରିଖରେ ଲୋକ ସଭା ଏହାକୁ ଅନୁମୋଦନ କରିଥିଲା। ବିଲ୍‌ ଉପରେ ଆଲୋଚନାରେ ଭାଗନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ଯେକୌଣସି ଯୁଦ୍ଧ ଲଢ଼ିବାକୁ ଭାରତ ପୂର୍ଣ୍ଣ ପ୍ରସ୍ତୁତ। ଆବଶ୍ୟକ ପଡ଼ିଲେ ଦେଶର ପ୍ରତିରକ୍ଷା ବ୍ୟୟ ଜିଡିପିର ୫ରୁ ୬ ପ୍ରତିଶତକୁ ବୃଦ୍ଧି କରାଯିବ। ସଶସ୍ତ୍ର ବଳରେ ଖାଲି ପଦବୀ ପୂରଣ କରିବା ଏକ ନିୟମିତ ଧାରା। ଦେଶର ସାମୁଦ୍ରିକ ସ୍ବାର୍ଥ ପୂର୍ଣ୍ଣ ସୁରକ୍ଷିତ। ଏଥିରେ ଗୃହ ବିବ୍ରତ ହେବାର କୌଣସି କାରଣ ନାହିଁ। ଦେଶର ନିରାପତ୍ତା ସମେତ ଦେଶର ଗର୍ବ ଗୌରବର ସୁରକ୍ଷାରେ କୌଣସି କମି ହେବାକୁ ଦିଆଯିବ ନାହିଁ। ଏଥିପାଇଁ ସମସ୍ତ ଉଦ୍ୟମ କରାଯାଇଥିବା ରାଜନାଥ କହିଥିଲେ। ବିଲ୍‌ ଆଲୋଚନା ବେଳେ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଆଲୋଚନାରେ ଭାଜପାର କାମାକ୍ଷା ପ୍ରସାଦ ତାସା, ବିଜେଡିର ସୁଜାତା କୁମାର, ଟିଡିପିର କନକମେଡଲା ରବୀନ୍ଦ୍ର କୁମାର, ଏଆଇଏଡିଏମ୍‌କେର ଏମ୍‌ ଥମ୍ବିଦୁରାଇ, ଓ୍ବାଇଏସ୍‌ଆର୍‌ସିପିର ଭି. ବିଜୟସାଇ ରେଡ୍ଡୀ, ଟିଏମ୍‌ସି(ଏମ୍‌)ର ଜି.କେ. ଭାସନ ପ୍ରମୁଖ ଭାଗ ନେଇଥିଲେ।

Share