ଉଠାଦୋକାନୀଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ଅପରାଜିତା

ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ଓଡ଼ିଶାକୁ ବିଶ୍ୱ ଦରବାରରେ ପ୍ରସିଦ୍ଧ କରିବା ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ୱକପ୍‌। ସେହି ସମୟରେ ଉଠାଦୋକାନୀ ଆଇନ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ନ ମାନି ବିଏମ୍‌ସି କର୍ତ୍ତୃପକ୍ଷ ସମସ୍ତ ଉଠାଦୋକାନୀଙ୍କୁ ଉଚ୍ଛେଦ କରି ଦେଇଥିଲେ। ଭୁବନେଶ୍ୱରରେ ପ୍ରାୟ ୩୨ହଜାର ଉଠାଦୋକାନୀ ଥିବାବେଳେ କେବଳ ଉତ୍ତର ନିର୍ବାଚନ ମଣ୍ଡଳୀରେ ୬ହଜାରରୁ ଅଧିକ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ସହରର ସୌନ୍ଦର୍ଯ୍ୟକରଣ ନାମରେ ସେମାନଙ୍କ ଜୀବନ ଜୀବିକା ଦୁର୍ବିସହ କରାଯାଇଥିଲା। ନିର୍ବାଚନ ସମୟରେ ଏହାର ଠିକଣା ଜବାବ ଦେବାକୁ ସମ୍ପୃକ୍ତ ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି। ସୋମବାର ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏନେଇ ସେମାନଙ୍କ ସହ ଆଲୋଚନା କରିଥିଲେ। ଉଠାଦୋକାନ ଭାଙ୍ଗିବାର କୌଣସି ଅଧିକାର ବିଏମସି ବା ସରକାରଙ୍କର ନାହିଁ। ପୁଣି ଥଇଥାନ ନ କରି ଭାଙ୍ଗିବା ସମ୍ପୃର୍ଣ୍ଣ ଅନ୍ୟାୟ। ତେଣୁ ଏହାର ଜବାବ ଦେବା ପାଇଁ ଚଳିତ ସାଧାରଣ ନିର୍ବାଚନରେ ଭାଜପା ବିଧାୟକ ପ୍ରାର୍ଥୀ ଏବଂ ଏମ୍‌ପିଙ୍କୁ ବିଜୟୀ କରିବାକୁ ପଡିବ ବୋଲି ଅପରାଜିତା କହିଥିଲେ। ଭାଜପା ବିଧାୟକ ଏବଂ ଏମ୍‌ପି ଆସିଲେ ଗୋଟିଏ ବି ଉଠାଦୋକାନ ଭାଙ୍ଗିବ ନାହିଁ ଏବଂ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଅପରପକ୍ଷେ ସମ୍ପୃକ୍ତ ଦୋକାନୀଙ୍କ ମଧ୍ୟରୁ କେତେଜଣ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବାବେଳେ ଆଉ କେହି ଅଟୋ ଚଳାଇ, ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ସେହିପରି ଉଚ୍ଛେଦ ସମୟରେ କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାବେଳେ ସମ୍ପୃକ୍ତ ବ୍ୟବସାୟୀମାନେ ଋଣଗ୍ରସ୍ତ ହୋଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ କହିଥିଲେ। ଅପରାଜିତା ସେମାନଙ୍କ ଦୁଃଖ ଶୁଣିବା ସହ ସେମାନଙ୍କୁ ନିଜ ପକ୍ଷକୁ ଆଣିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏନେଇ ଉଠାଦୋକାନୀ ମହାସଂଘ ରାଜ୍ୟ ସଭାପତି ପ୍ରତାପ ସାହୁ କହିଛନ୍ତି, ଦୋକାନୀଙ୍କ ଥଇଥାନ ପାଇଁ ଅନେକ ସମୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇଛି। ଆଗକୁ ମଧ୍ୟ ଆଲୋଚନା କରାଯାଇ ଏହାର ସମାଧାନର ବାଟ ବାହାରିବ ବୋଲି ସେ କହିଥିଲେ।

Share