ନିଆଁ ବଦଳରେ ପାଣିରେ ହେବ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର

କେପଟାଉନ୍‌,୨।୧:ଦକ୍ଷିଣ ଆଫ୍ରିକାରେ ଦଶନ୍ଧି ଧରି ରଙ୍ଗଭେଦ ବିରୋଧରେ ଲଢିଥିବା ଆର୍କବିଶପ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଛି। କୁହାଯାଏ ଯେ ଟୁଟୁ ପାରମ୍ପାରିକ ଉପାୟ କରିବା ପରିବର୍ତ୍ତେ ନିଜର ଶେଷ ରୀତିନୀତିକୁ ଇକୋ-ଫ୍ରେଣ୍ଡଲି ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ତାଙ୍କ ମୃତ ଶରୀରର ‘ଆକ୍ୱାମେସନ୍‌’ କରାଯିବ। ଏହି ପ୍ରକ୍ରିୟାରେ ମୃତ ଶରୀରକୁ ନିଆଁ ବଦଳରେ ପାଣିରେ ପୋଡି ଦିଆଯାଏ।
‘ଆକ୍ୱାମେସନ୍‌’ ପ୍ରକ୍ରିୟାରେ ମୃତ ବ୍ୟକ୍ତିଙ୍କ ଶରୀରକୁ ଏକ ଉଚ୍ଚ ଚାପର ଧାତୁ ସିଲିଣ୍ଡର ଭିତରେ ଜଳ ଏବଂ କ୍ଷାରୀୟ ଉପାଦାନ (ପୋଟାସିୟମ ହାଇଡ୍ରକ୍ସାଇଡ)ର ଭିତରେ ରଖାଯାଇଥାଏ ଏବଂ ସିଲିଣ୍ଡରକୁ ପ୍ରାୟ ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ୧୫୦ ଡିଗ୍ରୀ ତାପମାତ୍ରାରେ ଗରମ କରାଯାଏ । ଏହି ପ୍ରକ୍ରିୟାରେ ଶରୀର ସଂପୂର୍ଣ୍ଣ ତରଳ ପଦାର୍ଥରେ ପରିଣତ ହୁଏ ଏବଂ ପାତ୍ରରେ କେବଳ ହାଡ଼ ରହିଥାଏ। ହାଡଗୁଡିକ ଏକ ଗରମ ଚୁଲିରେ ଶୁଖାଯାଏ ଏବଂ ପରେ ସେଗୁଡିକ ପାଉଡରରେ ପରିଣତ କରାଯାଇ ସମ୍ପର୍କୀୟଙ୍କୁ ଦିଆଯାଏ । ବିଶେଷ କଥା ହେଉଛି ଏହି କୌଳ ଏବେ କେବଳ କିଛି ଦେଶରେ ବୈଧ। ଦକ୍ଷିଣ ଆଫ୍ରିକାରେ ଏହାକୁ ନେଇ କୌଣସି ନିୟମ ନାହିଁ।
ନୋବେଲ ଶାନ୍ତି ପୁରସ୍କାର ପାଇଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଆର୍କବିଶପ ଦେସମଣ୍ଡ ଟୁଟୁଙ୍କର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦକ୍ଷିଣ ଆଫ୍ରିକାରେ ରଙ୍ଗଭେଦର ବିରୋଧୀ ପ୍ରତୀକ ଭାବରେ ଜଣାଶୁଣା। କେବଳ ଏତିକି ନୁହେଁ, ଟୁଟୁକୁ ଦେଶର ନୈତିକ କମ୍ପାସ ମଧ୍ୟ କୁହାଯାଏ।

Share