Categories: ଫୁରସତ

ଆରବିଆନ୍‌ ବକ୍ସ ଜେଲିଫିସ୍‌ ଅଧିକ ବୁଦ୍ଧିମାନ୍‌

କୋପେନହାଗେନ୍‌ : ପାଣି ଭିତରେ ଅନେକ ପ୍ରକାର ଜୀବ ରହିଥାନ୍ତି। ଅନେକଙ୍କୁ ଆମେ ଜାଣି ନ ଥାଉ। ତେବେ ନିକଟରେ ବିଷାକ୍ତ ଆରବିଆନ୍‌ ବକ୍ସ ଜେଲିଫିସ୍‌ ବାବଦରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ନୂଆ ଅଧ୍ୟୟନରୁ ଜଣାପଡ଼ିଛି, ଆମେ ଭାବିବାଠାରୁ ଏହି ଜେଲିଫିସ୍‌ ବହୁ ବୁଦ୍ଧିମାନ । ଆରବିଆନ୍‌ ବକ୍ସ ଜେଲିଫିସ୍‌ର ସେଣ୍ଟ୍ରାଲାଇଜ୍‌ ନର୍ଭସ ସିଷ୍ଟମ ନାହିଁ। ତା’ର ୨୪ଟି ଆଖି ଅଛି। ତା’ ସାହାଯ୍ୟରେ ସେ ନିଜର ଭୁଲ୍‌କୁ ସୁଧାରି ଥାଏ। ରିପୋର୍ଟ ମୁତାବକ, କରେଣ୍ଟ ବାୟୋଲୋଜି ଜର୍ନାଲରେ ବାହାରିଥିବା ଏକ ତଥ୍ୟ ମୁତାବକ, ଏହି ଜେଲିଫିସ୍‌ ପାଖରେ କେବଳ ୧ହଜାର ଲର୍ଭ ସେଲ୍‌ ରହିଛି। ବୈଜ୍ଞାନିକଙ୍କ କହିବା ମୁତାବକ, ଏହା ଆମ ମସ୍ତିଷ୍କର ପ୍ରକ୍ରିୟା ବାବଦରେ ଅଧିକ ତଥ୍ୟ ଦେଇପାରେ। ୫ଶହ ମିଲିୟନରୁ ଅଧିକ ବର୍ଷ ଧରି ଜେଲିଫିସ୍‌ ଅଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କୁ ସୀମିତ ଶିଖିବାର କ୍ଷମତା ଥିବା ସରଳ ଜୀବ ବୋଲି ବୁଝାଯାଉଥିଲା। ହେଲେ ବୈଜ୍ଞାନିକଙ୍କ ଏହି ନୂଆ ତଥ୍ୟ ଏପର୍ଯ୍ୟନ୍ତର ଭାବନାକୁ ଓଲଟପାଲଟ କରିଦେଇଛି। ଜଣାପଡ଼ିଛି କି, ବିଷାକ୍ତ ଆରବିଆନ୍‌ ବକ୍ସ ଜେଲିଫିସ୍‌ ପାଖରେ ଶିଖିବାର ଅଧିକ କ୍ଷମତା ରହିଛି। ୟୁନିଭର୍ସିଟି ଅଫ୍‌ କୋପେନହାଗେନ୍‌ର ନ୍ୟୁରୋଲୋଜିଷ୍ଟ ପ୍ରଫେସର ଏଣ୍ଟର୍ସ ଗାର୍ମ ଅଧିକ ସମୟ ଧରି ଏହି ଜେଲିଫିସ୍‌ ଉପରେ ଅଧ୍ୟୟନ କରୁଛନ୍ତି। ଏହାକୁ ସାଧାରଣତଃ ଦୁନିଆର ସବୁଠୁ ବିଷାକ୍ତ ଜେଲିଫିସ୍‌ କୁହାଯାଏ। ସେମାନେ କାଦୁଅ ପଙ୍କରେ ଥିବା ଗଛ ଅଞ୍ଚଳରେ ରୁହନ୍ତି। ସେଠାରେ ଥିବା ଛୋଟ ଛୋଟ ଜୀବଙ୍କୁ ଶିକାର କରନ୍ତି। ଏଥିପାଇଁ ସେ ତା’ର ୨୪ ଆଖି ଏବଂ ପ୍ରଭାବଶାଳୀ ଭିଜୁଆଲ ସିଷ୍ଟମର ଉପଯୋଗ କରିଥାଏ। ବୈଜ୍ଞାନିକମାନେ କହିଛନ୍ତି, ଏହି ଜେଲିଫିସ୍‌ ବାସ୍ତବରେ ଦୂରର ଆକଳନ କରିପାରେ ଏବଂ ନିଷ୍ପତ୍ତି ମଧ୍ୟ ନେଇପାରେ।

Share