Categories: ଖେଳ

ରାଜ୍ୟପାଳଙ୍କ ଦ୍ୱାରା ଆରାଧ୍ୟା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୧।୧୦(କ୍ରୀଡ଼ା ପ୍ରତିନିଧି): ଗତ ଜୁନ୍‌ରେ ୬ ଦିନ ମଧ୍ୟରେ ୬ଟି ଗିରିଶୃଙ୍ଗ ଆରୋହଣ କରିଥିବା ରାଜ୍ୟର ଶିଶୁ ପର୍ବତାରୋହୀ ଆରାଧ୍ୟାଙ୍କୁ ଗୁରୁବାର ରାଜ୍ୟପାଳ ଗଣେଶୀ ଲାଲ ରାଜଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟପାଳ ତାଙ୍କୁ ଆଶୀର୍ବାଦ କରିବା ସହ ମହାତ୍ମା ଗାନ୍ଧୀଙ୍କର ଏକ ଫଟୋଚିତ୍ର ପ୍ରଦାନ କରିଥିଲେ ଏବଂ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ। ୯ ବର୍ଷୀୟା ଆରାଧ୍ୟା ହେଉଛନ୍ତି ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନାଙ୍କ କନ୍ୟା। ସମ୍ବର୍ଦ୍ଧିତ ହେବା ଅବସରରେ ଆରାଧ୍ୟାଙ୍କ ସହ ତାଙ୍କ ବାପା ଗଣେଶ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ଅଧିକାରୀ ହରେଶ ମିଶ୍ର ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ, ଭୁବନେଶ୍ୱରର ଆରାଧ୍ୟା ୧୭ ତାରିଖରେ ହିମାଚଳ ପ୍ରଦେଶର ଜିସ୍‌ପା (୩,୭୫୬ ମିଟର/୧୨୩୨୨ ଫୁଟ), ୧୮ରେ ବରାଲାଚଲା (୪୯୫୩ ମିଟର/୧୬୨୫୦ ଫୁଟ), ୧୯ରେ ଭରତପୁର ବେସ୍‌ କ୍ୟାମ୍ପ (୪୬୮୭ ମିଟର/୧୫୩୭୭ ଫୁଟ), ୨୦ରେ ୟୁନୁମ ଆଡ୍‌ଭାନ୍ସ ବେସ୍‌ କ୍ୟାମ୍ପ (୫୩୮୫ ମିଟର/୧୭୬୬୭ ଫୁଟ), ୨୧ରେ ଲଦାଖର ସରଚୁ (୪୨୩୬ ମିଟର/୧୩୮୯୭ ଫୁଟ) ଏବଂ ୨୨ ତାରିଖରେ ହିମାଚଳ ପ୍ରଦେଶର ବାରାଲାଥଲା (୪୯୮୬ ମିଟର/୧୬୩୫୮ ଫୁଟ) ଆରୋହଣ କରିଥିଲେ।

Share