Advertisement

ମନମୁଖୀ କାର୍ଯ୍ୟକଳାପ: ପଦ ହରାଇବେ ସରପଞ୍ଚ

ଥୁଆମୂଳ ରାମପୁର,୨୬।୪(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପାଡେ ପଦର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଘଟଣାରେ ପଦ ହରାଇବେ ସରପଞ୍ଚ ସମ୍ବାରି ମାଝୀ। ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ ପାଡେପଦର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଗ୍ରାମ ପଞ୍ଚାୟତର ୱାର୍ଡ ମେମ୍ବରମାନେ ଗତ ୩.୧୦.୨୦୨୪ରେ କଳାହାଣ୍ଡି ଜିଲାପାଳଙ୍କ ପାଖରେ ଲିଖିତ ଆକାରରେ ଆଗତ ଅନାସ୍ଥାପ୍ରସ୍ତାବ ଆଣିଥିଲେ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା ୱାର୍ଡମେମ୍ବରମାନଙ୍କର ଅଭିଯୋଗ ଶୁଣି ୱାର୍ଡ ସେମାନଙ୍କ ସମସ୍ତ ଦସ୍ତଖତ ଯାଞ୍ଚ କରିବା ପାଇଁ ଥୁଆମୂଳ ରାମପୁର ତହସିଲଦାର ନିରୋଧ କୁମାର ଭତ୍ରାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରବର୍ତ୍ତୀ ସମୟରେ ତହସିଲଦାର ଦସ୍ତଖତ ଯାଞ୍ଚ କରିବାପରେ ଉପଜିଲାପାଳଙ୍କ ନିକଟକୁ ପଠେଇଥିଲେ। ପରେ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାଡେପଦର ଗ୍ରାମ ପଞ୍ଚାୟତରେ ତସିଲଦାରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪ ର ଧାରା ୨୪ ଓ ଧାରା ୨୪ର ଉପ ଧାରା (୨) ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡ଼ିଶାଙ୍କ ଆଦେଶ ଗତ
ତା.୨୫.୧୧.୨୦୨୪ ରିଖ ଦିନ ଡବ୍ଲୁ.ପି.ସି ନଂ. ୨୯୨୬୨ ଅନୁଯାୟୀ ଉକ୍ତ ଭୋଟର ଗଣତି ସ୍ଥଗିତ କରାଯାଇଥିଲା।

ବର୍ତ୍ତମାନ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ତାରିଖ ୦୭.୦୩.୨୦୨୫ ଡବ୍ଲୁ.ପି.ସି ନଂ. ୨୯୨୬୨ ଅନୁଯାୟୀ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ କରାଯାଇଥିବା ଅନାସ୍ଥା ପ୍ରସ୍ତାବର ମତଦାନ ବା ଭୋଟ ଗଣତି ସକାଶେ ମଙ୍ଗଳବାର ପୂର୍ବାହ୍ନ ୧୨.୩୦ରେ ପାଡେପଦର ଗ୍ରାମ ପଞ୍ଚାୟତଠାରେ ତାର ଫଳାଫଳ ପ୍ରକାଶ କରିବା ପାଇଁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭୋଟ ବାକ୍ସକୁ ସୁରକ୍ଷା ବଳୟ ଭିତରେ ତହସିଦାର ନିରୋଧ କୁମାର ଭତ୍ରା ଓ ଜିପିଇଡିଓ ତ୍ରିଲୋଚନ ନାଏକ ପ୍ରମୁଖ ପାଡେପଦର ଗ୍ରାମ ପଞ୍ଚାୟତରେ ପହଞ୍ଚାଇଥିଲେ, ଏଥିରେ ସମସ୍ତ ୱାର୍ଡ ମେମ୍ବର ସରପଞ୍ଚ, ନାଇବ ସରପଞ୍ଚଙ୍କ ଉପସ୍ଥିତିରେ ଭୋଟ ଗଣତି କରାଯାଇଥିଲା। ସରପଞ୍ଚ ସମ୍ବାରୀ ମାଝୀ ୩ ଖଣ୍ଡ ଭୋଟ ପାଇଥିବାବେଳେ ନାଏବ ସରପଞ୍ଚ ମହେନ୍ଦ୍ର ନାଏକ ୮ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel