ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ବ୍ଲାକ୍ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣାକୁ ସପ୍ତାହରୁ ଅଧିକ ଦିନ ବିତିଛି। ଇତିମଧ୍ୟରେ ଜେଲରେ ଥିବା ଅଭିଯୁକ୍ତା ଅର୍ଚ୍ଚନା ଶୁକ୍ରବାର ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ତାଙ୍କ ପକ୍ଷରୁ ଓକିଲ ଦେବାଶିଷ ମହାପାତ୍ର ଜାମିନ ଆବେଦନ କରି ବିଭିନ୍ନ ଦିଗକୁ ନେଇ ଯୁକ୍ତି ବାଢ଼ିଥିଲେ। ସୁରକ୍ଷା ଦୃଷ୍ଟିରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅର୍ଚ୍ଚନା କୋର୍ଟଙ୍କ ସାମ୍ନାରେ ହାଜର ହୋଇଥିଲେ। ଶୁଣାଣି ସମୟରେ ଦେବାଶିଷଙ୍କ ଯୁକ୍ତି ଥିଲା, ଅର୍ଚ୍ଚନାଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଆସିଛି ଓ ଦଫା ଲାଗିଛି ତାହା ପ୍ରଯୁଜ୍ୟ ନୁହେଁ। ତେଣୁ ତାଙ୍କୁ ଜାମିନରେ ଛଡ଼ାଯାଉ ଏବଂ ଏହି ମାମଲାରେ କେସ ଡାଏରୀ ମଗାଯାଉ। ଅପରପକ୍ଷରେ ବିପକ୍ଷ ତଥା ସରକାରୀ ଓକିଲ ଏ ଚାନ୍ଦଙ୍କ ଯୁକ୍ତି ଥିଲା, ଏହି ମାମଲାରେ ଆଇପିସିର ୩୭୦, ୩୨୮, ଏବଂ ଆଇଟି ଆକ୍ଟ ୬୬-ଇ ଏବଂ ୬୭ ଭଳି ସଙ୍ଗୀନ ଦଫା ଲାଗିଛି। ତେଣୁ ଅର୍ଚ୍ଚନାଙ୍କୁ ଜାମିନ ଦିଆ ନ ଯାଉ। କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିବା ଜଣାପଡ଼ିଛି।