‘ବଡ଼ବଡ଼ିଆଙ୍କ ଚକ୍ରାନ୍ତର ପର୍ଦ୍ଦାଫାସ କରିବୁ’

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସବୁ ବଡ଼ବଡ଼ିଆଙ୍କ ପର୍ଦ୍ଦାଫାସ କରିବୁ ବୋଲି ଜଗବନ୍ଧୁ କ୍ଷୋଭର ସହ କହିଛନ୍ତି। ବୁଧବାର ଚିକିତ୍ସା ପାଇଁ ଝାରପଡ଼ା ଜେଲରୁ କ୍ୟାପିଟାଲ ହସ୍ପିଟାଲ ଯାଉଥିବାବେଳେ ଜଗବନ୍ଧୁ କହିଛନ୍ତି, ଯାହା ସବୁ ଘଟିଲା ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ। ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ପଇସା ଲାଳସା ଦେଖାଇ ସେ ଆମ ନାଁରେ ଏମିତି ଅଠା ବୋଳିଛନ୍ତି। ତାଙ୍କ ସହ କିଛି ବଡ଼ବଡ଼ିଆ ଲୋକ ମିଶିକି ରହିଛନ୍ତି। ଶ୍ରଦ୍ଧାଞ୍ଜଳିଙ୍କୁ ଲୁଚାଯାଇ ରଖାଯାଇଛି। ତାଙ୍କୁ ଶୀଘ୍ର ବାହାର କରନ୍ତୁ ବୋଲି ଜଗବନ୍ଧୁ କହିଛନ୍ତି। ଅନ୍ୟପଟେ ଏହା ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୧୦ରେ ଅର୍ଚ୍ଚନା କୋର୍ଟରେ ହାଜର ହୋଇ ଶ୍ରଦ୍ଧାଞ୍ଜଳିଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ। ଏପରିକି ଶ୍ରଦ୍ଧାଞ୍ଜଳିଙ୍କ ପାଇଁ ଭିନ୍ନ ଆଇନ ଅଛି କି ବୋଲି ମଧ୍ୟ ସେ କହିଥିଲେ। ତେବେ ଜେଲରେ ଥିବା ଦମ୍ପତିଙ୍କ ଏଭଳି ବୟାନକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ବେହେରା ଦୀର୍ଘଦିନ ହେବ ଝାରପଡ଼ା ଜେଲରେ ରହିଛନ୍ତି। ଅର୍ଚ୍ଚନାଙ୍କୁ ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିବାବେଳେ ଖଣ୍ଡଗିରି ଥାନା ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଜାମିନ ମିଳିନାହିଁ। ଇଡି ମାମଲାରେ ଅର୍ଚ୍ଚନାଙ୍କ ପକ୍ଷରୁ ହୋଇଥିବା ଜାମିନ ଆବେଦନର ଶୁଣାଣି ଜୁନ୍‌ ୨୬ରେ ରହିଛି।

Share