ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ବ୍ଲାକ୍ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି। ତାଙ୍କୁ ନେଇ ଏବେ ବି ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଏପରିସ୍ଥିତିରେ ଅର୍ଚ୍ଚନାଙ୍କ ବିରୋଧରେ ବରମୁଣ୍ଡାରେ ରହୁଥିବା ଶଶାଙ୍କ ଶେଖର ସାହୁ ନାମକ ଜଣେ ଜଣେ ବ୍ୟବସାୟୀ ଗଣମାଧ୍ୟମ ଜରିଆରେ ରବିବାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, କିଛିମାସ ତଳେ ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଚାମ୍ବରକୁ ସେ ଯାଇଥିବା ବେଳେ ସେଠାରେ ଅର୍ଚ୍ଚନା ଥିଲେ। ସେଠାରେ ଅର୍ଚ୍ଚନାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଅର୍ଚ୍ଚନା ତାଙ୍କୁ ଠିକଣା ଏବଂ ନାମ ପଚାରିଥିଲେ। ପରେ ଅର୍ଚ୍ଚନା ତାଙ୍କୁ ଫେସ୍ବୁକରେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଇଥିଲେ। ସେ ଏହି ନିବେଦନକୁ ସ୍ବୀକାର କରିବା ପରେ ଅର୍ଚ୍ଚନା ତାଙ୍କୁ ଫଶାଇବାକୁ ଚେଷ୍ଟା କରିଥିଲେ। ମେସେଞ୍ଜରରେ ଚାଟିଂ କରିବା ପରେ ମୋବାଇଲ ନମ୍ବର ନେଇଥିଲେ। ତେବେ ତାଙ୍କୁ ଫୋନ୍ କରି ପୁଅ ଦେହ ଅସୁସ୍ଥ ଥିବା କହି ଫେବୃୟାରୀ ୯ରେ ୨୫ ହଜାର ଟଙ୍କା ମାଗିଥିଲେ। ସେ ଟଙ୍କା ଦେଇ ନ ଥିଲେ। ପରେ ହ୍ବାଟ୍ସଆପ୍ରେ ଅର୍ଚ୍ଚନାଙ୍କୁ ସେ ବ୍ଲକ୍ କରିଦେଇଥିଲେ। ଏହାର କିଛିଦିନ ପରେ ସେ ମେସେଞ୍ଜରରେ ପୁଣି କଲ୍ କରିଥିଲେ। ଫୋନ୍ ଉଠାଇବା ପରେ ଅର୍ଚ୍ଚନା ପୁଣି ତାଙ୍କୁ ବୁଝାଇ ଗାଡ଼ି କିସ୍ତି ଦେବା ପାଇଁ ୧୫ ହଜାର ଟଙ୍କା ମାଗିଥିଲେ। ଏହାପରେ ତାଙ୍କୁ ଘରକୁ ଡାକିଥିଲେ। ହେଲେ ସେ ଅର୍ଚ୍ଚନାଙ୍କ ଘରକୁ ଯାଇ ନ ଥିଲେ। ତେବେ ଏନେଇ ପୋଲିସ ପଚାରିଲେ ସହଯୋଗ କରିବେ ବୋଲି ଶଶାଙ୍କ କହିଛନ୍ତି।