Categories: ଖେଳ

ଚେତାବନୀ ସହ ଆର୍ଚରଙ୍କୁ ଜରିମାନା

ମାଞ୍ଚେଷ୍ଟର, ୧୮।୭(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ପୂର୍ବରୁ ଜୈବ-ସୁରକ୍ଷିତ ପ୍ରୋଟୋକଲ ଭଙ୍ଗ କରିଥିବାରୁ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ(ଇସିବି) ପକ୍ଷରୁ ଆନୁଷ୍ଠାନିକ ଭାବେ ଚେତାବନୀ ଦିଆଯିବା ସହ ଜରିମାନା(ଅର୍ଥରାଶି ପ୍ରକାଶ କରାଯାଇନାହିଁ) କରାଯାଇଛି। ଗତ ସୋମବାର ଆର୍ଚର ପ୍ରୋଟୋକଲ ଭାଙ୍ଗି ହୋଭ୍‌ସ୍ଥିତ ନିଜ ଘରକୁ ଚାଲି ଯାଇଥିଲେ। ଏଥିପାଇଁ ଅନୁମତି ନ ଥିବାରୁ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ଦିଆ ଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଶୃଙ୍ଖଳାଗତ କମିଟି ବୈଠକ ବସି ଏହା ଉପରେ ଶୁଣାଣି କରିଥିଲା। ଆର୍ଚରଙ୍କୁ ଲିଖିତଭାବେ ଚେତାବନୀ ଦିଆଯିବା ସହ ଜରିମାନା କରାଯାଇଥିଲା। ଏଥିପାଇଁ ପୂର୍ବରୁ କ୍ଷମା ମାଗି ସାରିଥିବା ଆର୍ଚର ତୃତୀୟ ଟେଷ୍ଟ ଖେଳାଳି ଚୟନ ପାଇଁ ଉପଲବ୍ଧ ହୋଇପାରିବେ। ବାର୍ବାଡସ ଜନ୍ମିତ ଆର୍ଚର ଏବେ ୫ ଦିନ ପାଇଁ ଆଇସୋଲେଶନରେ ଅଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ୨ ଥର କୋଭିଡ୍‌ ଟେଷ୍ଟ ହେବ। ଉଭୟ ରିପୋର୍ଟ ନେଗେଟିଭ୍‌ ଆସିଲେ ଯାଇ ତାଙ୍କର ଆଇସୋଲେଶନ ସମୟସୀମା ଶେଷ ହେବ। ଇଂଲଣ୍ଡ ପୁରୁଷ କ୍ରିକେଟ ଦଳର ପରିଚାଳନା ନିର୍ଦ୍ଦେଶକ ଆଶଲେ ଜାଇଲ୍ସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣି ସମୟରେ ଆର୍ଚରଙ୍କ ଏଜେଣ୍ଟ ଓ ପ୍ରଫେଶନାଲ କ୍ରିକେଟର୍ସ ଆସୋସିଏଶନ ପ୍ରତିନିଧି ଉପସ୍ଥିତ ଥିଲେ।

Share