Categories: ଖେଳ

ତୀରନ୍ଦାଜ ରିକର୍ଭ ଇଭେଣ୍ଟ: ମହିଳା, ପୁରୁଷ କ୍ୱାର୍ଟରରେ

ପ୍ୟାରିସ, ୨୬ା୭ (ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ଦଳ ଚମତ୍କାର ଆରମ୍ଭ କରିଛି। ଗୁରୁବାର ଉଭୟ ମହିଳା ଓ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଅଙ୍କିତା ଭକତ ବ୍ୟକ୍ତିଗତ ମହିଳା ରିକର୍ଭ ପ୍ରତିଯୋଗିତାରେ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ସହ ୧୧ଶ ସ୍ଥାନ ଅଧିକାର କରିଥିବା ବେଳେ ଟିମ୍‌ ଇଭେଣ୍ଟରେ ୪ର୍ଥ ସ୍ଥାନ ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ୨୬ବର୍ଷୀୟା ଅଙ୍କିତା ୬୬୬ ପଏଣ୍ଟ ସହ ଭାରାତୀୟ ମହିଳାଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କ ପଛକୁ ଭଜନ କୌର (୫୫୯ ପଏଣ୍ଟ ସହ ୨୨ତମ ସ୍ଥାନ) ଏବଂ ଦୀପିକା କୁମାରୀ (୬୫୮ ପଏଣ୍ଟ ସହ ୨୩ତମ ସ୍ଥାନ) ରହିଥିଲେ। ଟିମ୍‌ ଇଭେଣ୍ଟରେ ଭାରତ ୧୯୮୩ ପଏଣ୍ଟ ସ୍କୋର କରି ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଦକ୍ଷିଣ କୋରିଆ ୨୦୪୬ ପଏଣ୍ଟ ସହ ଷ୍ଟାଣ୍ଡିଂର ଶୀର୍ଷରେ ରହିଥିବା ବେଳେ ଚାଇନା ଦ୍ୱିତୀୟ ଓ ମେକ୍ସିକୋ ତୃତୀୟ ସ୍ଥାନ ଅଧିକାର କରିଥିଲା। ଷ୍ଟାଣ୍ଡିଂ ଶ୍ରେଷ୍ଠ ୪ ଦଳ ସିଧାସଳଖ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୫ମରୁ ୧୨ତମ ସ୍ଥାନରେ ରହିଥିବା ଦଳଗୁଡ଼ିକ ମଧ୍ୟରେ ପ୍ରି-କ୍ୱାର୍ଟର ଅନୁଷ୍ଠିତ ହେବ।

ଭାରତ କ୍ୱାର୍ଟରଫାଇନାଲରେ ଫ୍ରାନ୍ସ ଓ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁଥିବା ମ୍ୟାଚର ବିଜେତା ସହ ଖେଳିବ। ଭାରତ କ୍ୱାର୍ଟରଫାଇନାଲ ଜିତିଲେ ସେମିଫାଇନାଲରେ ହେଭିଓ୍ବେଟ୍‌ କୋରିଆ ସହିତ ମୁକାବିଲା କରିବ। ୩ବର୍ଷ ପୂର୍ବେ କୋରିଆ ମହିଳା ଦଳ ଅଲିମ୍ପିକ୍ସରେ କ୍ରମାଗତ ୯ମ ଥର ପଦକ ଜିତି ଅବିସ୍ମରଣୀୟ ରହିଛି। ବ୍ୟକ୍ତିଗତ ବିଭାଗରେ କୋରିଆର ଲିମ୍‌ ଶିୟନ ୬୯୪ ସ୍କୋର କରି ବିଶ୍ୱ ରେକର୍ଡ ସହ ଷ୍ଟାଣ୍ଡିଂର ଶୀର୍ଷ ସ୍ଥାନରେ ରହିଥିବା ବେଳେ ତାଙ୍କ ଦେଶର ସୁୟନ ନାମ୍‌ (୬୮୮) ଦ୍ୱିତୀୟ ଏବଂ ଚାଇନାର ୟାଙ୍ଗ ଜିଆଓଲେଇ (୬୭୩) ତୃତୀୟ ହୋଇଥିଲେ। ସପ୍ଲାନେଡ୍‌ ଡେସ୍‌ ଇନ୍‌ଭାଲିଡେସ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ଭାରତୀୟ ପୁରୁଷ ଦଳ ଟପ୍‌-୪ ମଧ୍ୟରେ ଫିନିଶ କରିଛି। ଧୀରଜ ବୋମ୍ମାଦେବରା, ତରୁରଦୀପ ରାୟ ଓ ପ୍ରବୀଣ ଜାଦବଙ୍କ ଦଳ ଚମତ୍କାର ପ୍ରଦର୍ଶନ କରି ୨୦୧୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା। ଦକ୍ଷିଣ କୋରିଆ ୨୦୪୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଫ୍ରାନ୍ସ ୨୦୨୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିଲା। ଅନ୍ୟ ପକ୍ଷରେ ଚାଇନା ୧୯୯୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ବ୍ୟକ୍ତିଗତ ପ୍ରଦର୍ଶନକୁ ଦୃଷ୍ଟିରେ ରଖିଲେ ଧୀରଜ ବୋମ୍ମାଦେବରା ୬୮୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ତରୁଣଦୀପ ରାୟ ୬୭୪ ପଏଣ୍ଟ ସହ ୧୪ ତମ ସ୍ଥାନ ହାସଲ କରିଥିବା ବେଳେ ଅନ୍ୟତମ ଭାରତୀୟ ପ୍ରବୀଣ ଯାଦବ ୬୫୮ ପଏଣ୍ଟ ସହ ୩୯ନମ୍ବର ସ୍ଥାନରେ ରହିଛନ୍ତି।

ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଚାଇନିଜ୍‌ ତାଇପେ, ଗ୍ରେଟ୍‌ ବ୍ରିଟେନ୍‌, ତୁର୍କୀ, କଲମ୍ବିଆ, ଇଟାଲୀ, କାଜାଖସ୍ତାନ, ଜାପାନ ଓ ମେକ୍ସିକୋ ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ତୁର୍କୀ ଓ କଲମ୍ବିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାକୁ ଭାରତ କ୍ୱାର୍ଟର ଫାଇନାଲରେ ଭେଟିବ। ପୁରୁଷ ଖେଳାଳିଙ୍କ ମଧ୍ୟରେ ଧୀରଜ ସର୍ବାଧିକ ୬୮୧ ପଏଣ୍ଟ ସ୍କୋର କରିଥିବା ବେଳେ ମହିଳା ଖେଳାଳିଙ୍କ ମଧ୍ୟରେ ଅଙ୍କିତା ଭକତ ୬୬୬ ପଏଣ୍ଟ ସ୍କୋର କରିଛନ୍ତି। ମିକ୍ସଡ ଟିମ୍‌ ଇଭେଣ୍ଟରେ ଭାରତୀୟ ଦଳ ୧୩୪୭ ପଏଣ୍ଟ ଅର୍ଜନ କରି ପଞ୍ଚମ ସ୍ଥାନରେ ରହିଛି।

Share