ସଂକ୍ରମଣ ଦ୍ରୁତ ଗତିରେ ବଢୁଛି, ଅବହେଳା କରନ୍ତୁ ନାହିଁ: ମୁଖ୍ୟ ସଚିବ

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏନେଇ ବୁଧବାର ଅପରାହ୍ନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ୍‌ କରାଯାଇନାହିଁ। ମାତ୍ର ଆମେ ସମସ୍ତେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ମାନିବା ଉଚିତ୍‌। ବର୍ତ୍ତମାନ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ରୁ ୧୧ ହଜାର ସଂକ୍ରମଣ ସଂଖ୍ୟା ରହୁଛି। ତେଣୁ ଏପରି ସ୍ଥିତିରେ ସମସ୍ତେ କୋଭିଡ ନିର୍ଦ୍ଦେଶନାମା ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି। ମାସ୍କ ପିନ୍ଧିବା, ଜନଗହଳି ସ୍ଥାନକୁ ନ ଯିବା, ସାମାଜିକ ଦୂରତା ବଜାୟ ଜରୁରୀ ବୋଲି ମୁଖ୍ୟ ସଚିବ କହିଛନ୍ତି। କୋଭିଡ୍‌ର ଲକ୍ଷଣ ଆସିବା କ୍ଷଣି ତୁରନ୍ତ ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ଭୟଭୀତ ନ ହୋଇ ସରକାରଙ୍କ କୋଭିଡ୍‌ କଟକଣା ମାନି ଚଳିବାକୁ ସେ ପରାମର୍ଶ ଦେଇଛନ୍ତି। ଆସନ୍ତା କିଛି ସପ୍ତାହ ଆମକୁ ଜଗରଖି ଚଳିବାକୁ ହେବ। ଅବହେଳା କଲେ ପରିସ୍ଥିତି ଅଧିକ ବିପଜ୍ଜନକ ହେବ। କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଠିକ୍‌ ଭାବରେ ମାନି ଚଳିଲେ ଆମେ ଏ ଦୁଃସମୟକୁ ଅତିକ୍ରମ କରିପାରିବା ବୋଲି ସେ କହିଛନ୍ତି।

Share