ନୂଆଦିଲ୍ଲୀ,୧୮ା୮:୨୦୦୨ ଗୁଜରାଟ ଦଙ୍ଗାବେଳେ ମୁସଲମାନ ମହିଳା ବିଲ୍କିସ୍ ବାନୋଙ୍କୁ ଗଣବଳାତ୍କାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ସମୟ ପୂର୍ବରୁ ଜେଲରୁ ମୁକ୍ତ କରାଯିବା ଉପରେ ଗୁରୁବାର ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଗୁଡ଼ିକ ରେମିସନ୍(ଦୋଷୀଙ୍କୁ କ୍ଷମା ପ୍ରଦାନ ପୂର୍ବକ ଆଗୁଆ ମୁକ୍ତ କରିବା) ପ୍ରଦାନ ସମୟରେ ବାଛବିଚାର କରିବା ଅନୁଚିତ। ଏହି ନିୟମ ପ୍ରତ୍ୟେକ ବନ୍ଦୀଙ୍କ ପାଇଁ ପ୍ରଯୁଜ୍ୟ ହୋଇଥିବାବେଳେ କେବଳ ବିଲ୍କିସ୍ ବାନୋଙ୍କ ଦୋଷୀଙ୍କ କ୍ଷେତ୍ରରେ କାହିଁକି ଲାଗୁହେଲା ବୋଲି ସର୍ବୋଚ୍ଚ ଅଦାଲତ ଗୁଜରାଟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।
ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣା ପରେ ୫ ମାସର ଗର୍ଭବତୀ ଥିବା ବିଲ୍କିସ୍(୨୧) ଓ ତାଙ୍କ ପରିବାରର କେତେଜଣ ସଦସ୍ୟ ଜୀବନ ବଞ୍ଚାଇବା ପାଇଁ ଏକ ଟ୍ରକ୍ରେ ଯାଉଥିଲେ। ଏହି ସମୟରେ ହିନ୍ଦୁ ସମ୍ପ୍ରଦାୟର କେତେଜଣ ବ୍ୟକ୍ତି ବିଲ୍କିସ୍ଙ୍କୁ ଗଣବଳାତ୍କାର କରିବା ସହ ତାଙ୍କ ୩ ମାସର ଝିଅ ସମେତ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ। ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୧୧ ଜଣଙ୍କ ଦଣ୍ଡକୁ ପରବର୍ତ୍ତୀ ସମୟରେ ଆଜୀବନ ଜେଲଦଣ୍ଡରେ ପରିବର୍ତ୍ତିତ କରାଯାଇଥିଲା। ୨୦୨୨ ଅଗଷ୍ଟ ୧୫ରେ ସେମାନଙ୍କୁ ଗୋଧ୍ରା ଉପକାରାଗାରରୁ ମୁକ୍ତ କରାଯାଇଥିଲା। ବିଲ୍କିସ୍ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥଲେ। ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଉଜ୍ଜ୍ୱଲ ଭୂୟଁାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗୁରୁବାର ଏହାର ଶୁଣାଣିବେଳେ ଗୁଜରାଟ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଏସ୍.ଭି. ରାଜୁ ଯୁକ୍ତି ବାଢ଼ିଥିଲେ, ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ମଧ୍ୟ ଆତ୍ମସଂସ୍କାର ପାଇଁ ସୁଯୋଗ ଦିଆଯିବା ଉଚିତ ବୋଲି ଆଇନ କହୁଛି। ୧୧ ଦୋଷୀଙ୍କ ଅପରାଧ ବିରଳରୁ ବିରଳତମ ବର୍ଗରେ ଆସୁନାହିଁ। ତେଣୁ ସେମାନେ ସୁଧୁରିବା ସୁଯୋଗ ପାଇବା ପାଇଁ ଯୋଗ୍ୟ ବୋଲି ରାଜୁ କହିଥିଲେ। ଏହା ଉପରେ ଖଣ୍ଡପୀଠ କହିଥିଲେ, ଜେଲରେ ଥିବା ଅନ୍ୟ କଏଦୀମାନଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି କି? ଦେଶର ଜେଲଗୁଡ଼ିକରେ କଏଦୀମାନଙ୍କ ସଂଖ୍ୟା ଧାରଣ କ୍ଷମତାଠାରୁ କାହିଁକି ଅଧିକ ରହିଛି? ଆଗୁଆ ମୁକ୍ତି ନୀତି କାହିଁକି କେବଳ ନିର୍ଦ୍ଦିଷ୍ଟ କଏଦୀମାନଙ୍କ କ୍ଷେତ୍ରରେ ଲାଗୁ କରାଯାଉଛି? ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୧୧ ଦୋଷୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ୧୪ ବର୍ଷ ଜେଲରେ ରହିବା ପରେ ସେମାନଙ୍କୁ କାହିଁକି ଛଡ଼ାଗଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୪ରେ ହେବ। ପ୍ରକାଶ ଯେ, ବିଲ୍କିସ୍ଙ୍କ ସହ ତୃଣମୂଳ କଂଗ୍ରେସ ଏମ୍ପି ମହୁଆ ମୋଇତ୍ର, ସିପିଆଇଏମ୍ ନେତ୍ରୀ ଶୁଭାଷିନୀ ଅଲୀଙ୍କ ସମେତ ଆଉ କେତେଜଣ ଗୁଜରାଟ ସରକାରଙ୍କ ରେମିସନ ପଲିସିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।