Categories: ଖେଳ

ଆର୍ଜେଣ୍ଟିନା ଉତ୍ସବ ମୁଖରିତ

ବୁଏନ୍ସ ଏୟାର୍ସ, ୧୬/୧୨ (ଏପି):ଆର୍ଜେଣ୍ଟିନା କାତାର ଫୁଟ୍‌ବଲ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିବା ପରେ ଏହି ଦେଶରେ ଖୁସିର ଲହରି ଖେଳିଯାଇଥିଲା। ମ୍ୟାଚ ଶେଷ ହେବା ପରେ ରାଜଧାନୀ ବୁଏନ୍ସ ଏୟାର୍ସରେ ପ୍ରଶଂସକମାନେ ରାସ୍ତାକୁ ଚାଲିଆସିଥିଲେ। ଲୋକେ ସେମାନଙ୍କ କାର୍‌ରେ ଜାତୀୟ ପତାକା ହଲାଇ ବିଜୟକୁ ସ୍ବାଗତ କରିଥିଲେ। ଅନ୍ୟ କେତେକ ଜାତୀୟ ଦଳର ଜର୍ସି ପିନ୍ଧି ହର୍ଷ ଉଲ୍ଲାସରେ ନୃତ୍ୟଗୀତରେ ମାତିଯାଇଥିଲେ। ମ୍ୟାଚ୍‌ ବେଳେ କିନ୍ତୁ ବୁଏନ୍ସ ଏୟାର୍ସ ସହର ଏକପ୍ରକାର ନିସ୍ତବ୍ଧ ହୋଇପଡ଼ିଥିଲା। ପ୍ରଶଂସକମାନେ କାଫେ, ରେସ୍ତୋରଁା ଏବଂ ସର୍ବସାଧାରଣ ସ୍ଥାନମାନଙ୍କରେ ଭିଡ଼ ଜମାଇ ବଡ଼ ବଡ଼ ସ୍କ୍ରିନ୍‌ରେ ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଦଳର ଖେଳକୁ ଉପଭୋଗ କରୁଥିଲେ। ଏକ ବିଜ୍ଞାପନ ସଂସ୍ଥାରେ କାର୍ଯ୍ୟ କରୁଥିବା ୩୧ ବର୍ଷୀୟ ଏମିଲିଆନୋ ଆଦାମ ଦେଶର ପତାକାର ଏକ ଟୋପି ପିନ୍ଧି ବିଜୟ ଉତ୍ସବରେ ସାମିଲ ହୋଇଥିଲ। ତାଙ୍କ ଆନନ୍ଦର ଆଉ ସୀମା ନାହିଁ। ସେ ପ୍ରଥମ ଥର ଏକ ମ୍ୟାଚକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିପାରିଥିବା କହିଛନ୍ତି। ଚଳିତ ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ଆରମ୍ଭ ଯନ୍ତ୍ରଣାଦାୟକ ଥିଲା। ଏହାପରେ ଦଳ ବିଜୟ ପଥକୁ ଫେରିଥିଲା। ଦେଶରେ ମୁଦ୍ରାସ୍ଫୀତି ହାର ସର୍ବାଧିକ ୧୦୦ ପ୍ରତିଶତ ପାଖାପାଖି ରହିଛି, ପ୍ରତି ୧୦ଜଣରେ ୪ଜଣ ଦାରିଦ୍ର୍ୟ କଷାଘାତରେ ଜୀବନ ନିର୍ବାହ କରୁଛନ୍ତି। ମଙ୍ଗଳବାରର ବିଜୟରେ ଆମେ ଏତେ ଉତ୍ସାହିତ ହୋଇପଡ଼ିଛୁ ଯେ, ସତେଯେମିତି ଆମେ ବହୁ ବର୍ଷ ଧରି ଆନନ୍ଦର ସହ ଜୀବନ ଅତିବାହିତ କରିଆସୁଛୁ। ଏହି ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା, ଯାହା ଭାଷାରେ ବର୍ଣ୍ଣନା କରିହେବ ନାହିଁ ବୋଲି ୨୭ ବର୍ଷୀୟା ଅଭିନେତ୍ରୀ ଲୈଲା ଡେସ୍‌ମେରୀ କହିଛନ୍ତି। ବୁଏନ୍ସ ଏୟାର୍ସ ପଡ଼ୋଶୀ ପାଲରମୋଠାରେ ଥିବା ଏକ ପାରମ୍ପରିକ କାଫେରେ ଟେଲିଭିଜନ ସ୍କ୍ରିନ୍‌ରେ ଲୋକେ ସେମିଫାଇନାଲ ଦେଖୁଥିଲେ। ମ୍ୟାଚରେ ୩୩ ମିନିଟ୍‌ ଖେଳ ଗୋଲ୍‌ଶୂନ୍ୟ ରହିବା ପରେ ସେମାନେ ନର୍ଭସ ହୋଇପଡ଼ିଥିଲେ। ମାତ୍ର ମେସି ପେନାଲ୍ଟି କିକ୍‌ ଜରିଆରେ ଗୋଲ୍‌ ସ୍କୋର କରିବା ମାତ୍ରେ ସ୍ଥାନଟି ଉତ୍ସବ ମୁଖରିତ ହୋଇପଡ଼ିଥିଲା। ଲୋକେ ମେସି, ମେସି, ମେସି ବୋଲି ଚିତ୍କାର କରିବା ସହ ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଟେକି ଆଶୀର୍ବାଦ ଭିକ୍ଷା କରିଥିଲେ। ହର୍ଷ ଉଲ୍ଲାସ ଥମିବାକୁ ଯାଉଥିବା ବେଳେ ଜୁଲିଆନ୍‌ ଅଲ୍‌ଭାରେଜଙ୍କ ଗୋଲ ପ୍ରଶଂସକଙ୍କୁ ଖୁସିରେ ଆତ୍ମହରା କରିଦେଇଥିଲା।

Share