ଆର୍ଜେଣ୍ଟିନା ଉପରାଷ୍ଟ୍ରପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ଯୋଜନା ପଣ୍ଡ

ବୁଏନୋସ୍‌ ଆଇରେସ୍‌,୨।୯: ଆର୍ଜେଣ୍ଟିନାର ଉପରାଷ୍ଟ୍ରପତି କ୍ରିଷ୍ଟିନା ଫର୍ଣ୍ଣାଡିଜ୍‌ଙ୍କ ଉପରେ ମରଣାନ୍ତକ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ଉପରାଷ୍ଟ୍ରପତିଙ୍କ ଘର ବାହାରେ ଜଣେ ବନ୍ଧୁକଧାରୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ବନ୍ଧୁକଧାରୀଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲେ। ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ରିଷ୍ଟିନାଙ୍କ ଘର ବାହାରେ ସମର୍ଥକଙ୍କ ଭିଡ଼ ଜମିଥିଲା। ସେ ତାଙ୍କ କାରରୁ ଓହ୍ଲାଇ ଘର ଭିତରକୁ ଯାଉଥିଲେ। ଜଣେ ବନ୍ଧୁକଧାରୀ ତାଙ୍କୁ ନିକଟରୁ ଏକ ପିସ୍ତଲ ଦେଖାଇଥିଲେ। ଏହି ସମୟରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବନ୍ଧୁକଧାରୀଙ୍କୁ ଧରିଥିଲେ। ସର୍ବଶେଷ ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ଗିରଫ କରି ପଚରାଉଚରା କରାଯାଉଛି।

Share