ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ ରାଜନୀତି। ବାରବାଟୀ-କଟକ ଆସନ ପାଇଁ ବିଜେଡି ପକ୍ଷରୁ ପ୍ରକାଶ ବେହେରାଙ୍କ ନଁା ଘୋଷଣା ହୋଇସାରିଛି। ଏବେ ସେ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନଁା ଘୋଷଣା ହୋଇନାହିଁ। ଅପରପକ୍ଷରେ ଅଭିନେତା ଅନୁଭବ ମହାନ୍ତି କିଛିଦିନ ତଳେ ବିଜେଡି ଛାଡି ଭାଜପାରେ ଯୋଗଦେଇଛନ୍ତି। ତେଣୁ ଭାଜପା ତାଙ୍କୁ ବାରବାଟୀ-କଟକ ନଚେତ୍‌ ସାଲେପୁରରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ ଅନୁଭବଙ୍କ ନଁା ରହିଥିବାରୁ ସେ ନିର୍ବାଚନ ଲଢିବା ଆଶା ମଉଳିଯାଇଛି ବୋଲି ଲୋକମାନେ ଆଲୋଚନା କରୁଛନ୍ତି। ଅନୁଭବଙ୍କ ପୂର୍ବରୁ ଅଭିନେତା ଅରିନ୍ଦମ ରାଏ ବିଜେଡି ଛାଡି ଭାଜପାରେ ଯୋଗଦେଇଛନ୍ତି। ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରିନି ସତ ହେଲେ ଷ୍ଟାର୍‌ ପ୍ରଚାରକ ତାଲିକାରେ ତାଙ୍କ ନାମକୁ ତାଲିକାଭୁକ୍ତ କରିନାହିଁ। ତେଣୁ ଦଳ ଏବେ ତାଙ୍କୁ ବାରବାଟୀ-କଟକ ନଚେତ୍‌ ସାଲେପୁରରୁ ଟିକେଟ ଦେବା ପାଇଁ ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି। ଏନେଇ ଅରିନ୍ଦମ କହିଛନ୍ତି, ଷ୍ଟାର୍‌ ପ୍ରଚାରକ ଭାବେ ବହୁତ କାମ କରିଛି। ଷ୍ଟାର୍‌ ପ୍ରଚାରକ ହେବା ପାଇ ମୁଁ ଦଳରେ ଯୋଗଦେଇଛି। ଷ୍ଟାର୍‌ ପ୍ରଚାରକ ଭାବେ ଦଳ ଯେଉଁମାନଙ୍କ ନାମ ଘୋଷଣା କରିଛି, ସେମାନଙ୍କୁ ସ୍ବାଗତ କରୁଛି। କିଛିଦିନ ପରେ ଦଳ ପ୍ରାର୍ଥୀ ଘୋଷଣା କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବାରବାଟୀ-କଟକ ଆସନ ପାଇଁ ଭାଜପା ପକ୍ଷରୁ ଆଶାୟୀଙ୍କ ଲମ୍ବା ତାଲିକା ରହିଛି। ସେଥିମଧ୍ୟରେ ଦଳର ଉପସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ମନ୍ତ୍ରୀ ସମୀର ଦେ, ନେତ୍ରୀ ସମୁର୍ତ୍ତୀ ପଟ୍ଟନାୟକ, କର୍ପୋରେଟର ଗଗନ ଓଝାଙ୍କ ସମେତ ଅନ୍ୟ ନେତା ରହିଛନ୍ତି।

Share