ଆରିରେ ଶାଳୀଙ୍କ ନାକ କାଟିଦେଲେ

କୁଆଁରମୁଣ୍ଡା,୧୫ା୯(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ମାଳିବଗିଚାରେ ରହୁଥିବା ଜଣେ ସମ୍ପର୍କୀୟ ଶାଳୀଙ୍କୁ ଭିଣୋଇ କୁହାଯାଉଥିବା ମନୋଜ ପ୍ରଧାନ ଏକ ଆରିରେ ନାକ କାଟି ଦେଇଛନ୍ତି। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ଗୁରୁବାର ପୀଡିତାଙ୍କ ପରିବାର ପକ୍ଷରୁ ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୧୯୦/୨୨) ରୁଜୁ କରିଛି। ପୋଲିସ ଅଭିଯୁକ୍ତ ଭିଣୋଇ ମନୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନା ମୁତାବକ, ମନୋଜ ତାଙ୍କ ସ୍ତ୍ରୀ ହେମଲତା ବେକ(୩୫) ଓ ଶାଶୁ ସବିତା ବେକ୍‌(୬୫) ତିନି ଜଣ ମିଶି ବୁଧବାର ରାତିରେ ସମ୍ପର୍କୀୟ ଶାଳୀ ଯଶୋବନ୍ତୀ ସୁନାନୀ(୩୪)ଙ୍କୁ କବାଟ ବାଡେଇ ଡାକିବା ସହ କାହିଁକି ଆମ ପାଣି ପାଇପ୍‌ ଭାଙ୍ଗିଲୁ କହି ପାଟିତୁଣ୍ଡ କରିଥିଲେ। ସେତିକିବେଳେ ମନୋଜ ଏକ ଆରୀରେ ଯଶୋବନ୍ତୀଙ୍କୁ ଆକ୍ରମଣ କରିବାରୁ ତାଙ୍କ ନାକ କଟିଯାଇଥିଲା। ପରେ ମନୋଜ ଓ ତାଙ୍କ ପରିବାର ଲୋକେ ଘଟଣାସ୍ଥଳ ଛାଡି ଫେରାର ହୋଇଯାଇଥିଲେ।

Share