ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨।୫: ବଲିଉଡ୍‌ରେ ଏବେ ଦେଶଭକ୍ତି ଫିଲ୍ମର ଟ୍ରେଣ୍ଡ ଚାଲିଛି। ଏହି ପରିପ୍ରେକ୍ଷୀରେ ଅର୍ଜୁନ କପୁରଙ୍କ ଅପ୍‌ କମିଂ ଫିଲ୍ମ ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରଟି ୨ମିନିଟ୍‌ ୩୦ ସେକେଣ୍ଡର ହୋଇଥିବା ବେଳେ ଲକ୍ଷାଧିକ ୟୁଜର୍ସ ଏହାକୁ ଦେଖିସାରିଲେଣି। ରାଜ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସତ କାହାଣୀ ଉପରେ ଆଧାରିତ ହୋଇଛି। ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଅର୍ଜୁନଙ୍କ ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଏଥିସହ ଦେଶ ପାଇଁ ସେ ନିଜ ଜୀବନ ବାଜି ଲଗାଉଥିବା ଟ୍ରେଲରରେ ନଜର ଆସିଛନ୍ତି। ଅର୍ଜୁନ ନିଜର ପାଞ୍ଚ ଜଣିଆ ଟିମ୍‌କୁ ନେଇ ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କୁ ଧରିବା ପାଇଁ ଦାୟିତ୍ୱ ନେଇଥାନ୍ତି। ସବୁଠାରୁ ବଡ଼ କଥା ହେଲା ସେମାନେ ବିନା କୌଣସି ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସେହି ଆତଙ୍କବାଦୀଙ୍କୁ ଧରିବା ପାଇଁ ଯୋଜନା କରିଥାନ୍ତି। ଏଥିପାଇଁ ସେ ନିଜର ବୁଦ୍ଧି ଖଟାଇବା ସହ ଅଲଗା ଅଲଗା ଯୋଜନାମାନ କରିଥାନ୍ତି। ଟ୍ରେଲରକୁ ଦେଖିବା ପରେ ଦର୍ଶକ ଫିଲ୍ମର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ତେବେ ଏହି ଫିଲ୍ମ ମେ ୨୪କୁ ପରଦାକୁ ଆସିବ ବୋଲି ଜଣାପଡ଼ିଛି।

Share