ବମ୍ବେ: କଥାରେ ଅଛି ମା’ ନାହିଁ ଯାହାର ସାହା ନାହିଁ ତାହାର। ମା’ଙ୍କୁ ହରାଇବାର କ୍ଷତି ଅପୂରଣୀୟ। ନଅ ବର୍ଷ ପୂର୍ବେ ଏହି ଯନ୍ତ୍ରଣା ଦେଇ ଗତି କରିଥିଲେ ବଲିଉଡ୍ ଅଭିନେତା ଅର୍ଜୁନ କପୁର। ଯେଉଁ ବର୍ଷ ଅଭିନେତା ଭାବେ ସେ ନିଜର ଡେବ୍ୟୁ କରିଥିଲେ, ଠିକ୍ ସେହି ବର୍ଷ ତାଙ୍କ ମା’ ପରପାରିକୁ ଚାଲିଯାଇଥିଲେ। ସନ୍ତାନ ଭାବେ ମା’ଙ୍କ ମୃତ୍ୟୁର କଷ୍ଟକୁ ଭୁଲି ପୁଣିଥରେ ଆଗକୁ ବଢ଼ିବା ସହଜ ନ ଥିଲା।
ଗୁରୁବାର ମା’ଙ୍କ ପୂଣ୍ୟତିଥି ଅବସରରେ ଅର୍ଜୁନ ଏକ ସୁନ୍ଦର ଫଟୋ ଶେୟାର କରିଥିଲେ। ଫଟୋଟିରେ ତାଙ୍କ ମା’ ମୋନା ଶୌରୀ କପୁରଙ୍କ ହସ ହସ ମୁହଁ ବାରି ହୋଇପଡ଼ିଥିଲା। ନଅ ବର୍ଷ ବିତିସାରିଛି। ମୁଁ ଏବେ ବି ଆପଣଙ୍କୁ ମନେ ପକାଉଛି। ପୁଣି ଥରେ ଫେରିଆସ ମା’। କେତେ ତୁମେ ମୋ କଥା ଚିନ୍ତା କରୁଥିଲ ତାହା ମନେପଡ଼ୁଛି। ଆପଣଙ୍କ କଲ୍ ଯେତେବେଳେ ଫୋନ୍ରେ ଆସେ ସେ ଦିନ ମନେ ପଡ଼ୁଛି। ଘରକୁ ଫେରିବା ପରେ ତୁମଙ୍କୁ ଦେଖୁଥିଲି। ହେଲେ ଏବେ ସେ କଥା କେବଳ ସ୍ମୃତି। ତୁମର ହସ, ଅର୍ଜୁନ ବୋଲି ଡାକିବା ସବୁ କିଛି ମନେ ଅଛି। ଯେଉଁଠି ଥିବ ଭଲରେ ଥିବ। ମୁଁ ମଧ୍ୟ ଠିକ୍ ହେବାକୁ ଚେଷ୍ଟା କରୁଛି। ତୁମେ ଫେରିଆସ ମା’ ବୋଲି ମା’ଙ୍କୁ ମନେ ପକାଇ ଅର୍ଜୁନ ଲେଖିଛନ୍ତି।