Categories: ଜାତୀୟ

ଭାଜପାକୁ ବଡ଼ ଝଟ୍‌କା

କୋଲକତା,୨୨।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତର ଏକ ମାସ ମଧ୍ୟରେ ଭାରତୀୟ ଜନତା ପାର୍ଟିକୁ ରାଜ୍ୟରେ ଆଉ ଏକ ଝଟ୍‌କା ଲାଗିଛି। କୋଲକତାରେ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଭାଜପାର ଲୋକ ସଭା ଏମ୍‌ପି ଅର୍ଜୁନ ସିଂ ଟିଏମସିରେ ଯୋଗ ଦେଇଛନ୍ତି। ଅର୍ଜୁନଙ୍କୁ ଏକ ବରିଷ୍ଠ ପଦବୀରେ ଅବସ୍ଥାପିତ ହେବା ସତ୍ତ୍ୱେ ରାଜ୍ୟ ନେତୃତ୍ୱ ତାଙ୍କୁ ସଠିକ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦେଉ ନ ଥିବା ନିକଟରେ ସେ ଅଭିଯୋଗ କରିଛନ୍ତି।
ନିକଟରେ ରାଜ୍ୟ ନେତୃତ୍ୱକୁ ଟାର୍ଗେଟ କରି ଅର୍ଜୁନ କହିଛନ୍ତି, ମୁଁ ନିକଟରେ ଦଳର ସଭାପତି ଜେପି ନଡା ଜିଙ୍କୁ ଭେଟିଥିଲି। ଏହି ସମୟରେ ତାଙ୍କୁ ସଂଗଠନର ସ୍ଥିତି ବିଷୟରେ କହିଥିଲି। ରାଜ୍ୟରେ ସମର୍ପିତ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟରେ କାମ କରିବାକୁ ଅନୁମତି ଦିଆଯାଉ ନାହିଁ, ଏପରିକି ବରିଷ୍ଠ ପଦବୀ ସତ୍ତ୍ୱେ ମୋତେ କାମ କରିବାର ସୁଯୋଗ ଦିଆଯାଉ ନ ଥିବା ସେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ,ଅର୍ଜୁନ ସିଂ ବାରାକପୁରର ଜଣେ ଭାଜପା ଏମ୍‌ପି ଅଛନ୍ତି। ସେ ନିଜେ ଟିଏମସିରୁ ୨୦୧୯ରେ ଭାଜପାରେ ଯୋଗ ଦେଇଥିଲେ।

Share