ବ୍ରହ୍ମପୁର ଅଫିସ/ଗୋପାଳପୁର, ୨୮।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ମେଗା ସେଲିବ୍ରିଟି କାର୍ଯ୍ୟକ୍ରମରେ ବଲିଉଡ୍ର ଖ୍ୟାତନାମା କଣ୍ଠଶିଳ୍ପୀ ଅରମାନ୍ ମଲିକଙ୍କ କାର୍ଯ୍ୟକ୍ରମକୁ ନେଇ ଗୋପାଳପୁର ସମେତ ବ୍ରହ୍ମପୁରବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ବେଳାଭୂମିରେ ବେଶ ଭିଢ ଜମିଥିଲା। ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡାକଡି କରାଯାଇଥିଲା। ଏପରିକି ଜିଲା ପ୍ରଶାସନ ପକ୍ଷରୁ ମହୋତ୍ସବ ଦେଖିବାକୁ ଆସୁଥିବା ପାସ୍ଧାରୀଙ୍କ ନିମନ୍ତେ ସାଢେ ୪ଟା ସୁଦ୍ଧା ସ୍ଥାନ ଗ୍ରହଣ କରିବା ପାଇଁ କୁହାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅତିଥିଙ୍କ ଅଭିଭାଷଣ ପରେ ଅରମାନଙ୍କ ସଂଗୀତରେ ଦର୍ଶକଙ୍କ କରତାଳିରେ ବେଳାଭୂମି ପ୍ରକମ୍ପିତ ହୋଇ ଉଠିଥିଲା। ଅରମାନ ଦିଲ ସମ୍ଭଲ ଯା.. ଜାରା, ତେରେ.. ଲିଏ, ତୁ.. ଜୋ ମୁସ୍କରାୟା ତୋ.., ମେ.. ରହୁ ନା ରହୁ ଭଳି ଗୋଟିଏ ପରେ ଗୋଟିଏ ସୁପରହିଟ ଗୀତ ଗାଇଥିଲେ। ଅରମାନଙ୍କ ଗୀତର ତାଳେ ତାଳେ ଦର୍ଶକ ଝୁମି ଉଠିଥିବା ଦେଖିବାକୁ ମିଳିଥିଲା।
ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମ କଳା ପରିଷଦ ଦ୍ୱାରା ଓଡିଶୀ ନୃତ୍ୟ, ଛତ୍ରପୁର ଡିଏସ୍ଆର ନୃତ୍ୟ ଅନୁଷ୍ଠାନ ଦ୍ୱାରା ଅର୍ଦ୍ଧ ଶାସ୍ତ୍ରୀୟ ନୃତ୍ୟ, ଜୟ ଗଣେଶ କଳା ବିକାଶ କେନ୍ଦ୍ର ଦ୍ୱାରା ସମ୍ବଲପୁରୀ ନୃତ୍ୟ, ସମ୍ବଲପୁରୀ ଡିସିସି ଅନୁ୍ଷ୍ଠାନ ଦ୍ୱାରା ସମ୍ବଲପୁରୀ ନୃତ୍ୟ, କନ୍ଧମାଳ ଡିସିସି ଦ୍ୱାରା ଝାଢି କୁଇ ନୃତ୍ୟ ଓ ପଶ୍ଚିମବଙ୍ଗ କଳାକାରଙ୍କ ଦ୍ୱାରା ପୁରୁଲିଆ ଛଉ ନୃତ୍ୟ ପରିବେଶଣ ହୋଇଥିଲା।
ଏଥିରେ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ବେହେରା, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଓ ବ୍ରହ୍ମପୁର ଏସ୍ପି ଡା.ଶ୍ରବଣା ବିବେକ ଏମ୍ ପ୍ରମୁଖ ଯୋଗ ଦେଇଥିଲେ।