Categories: ଜାତୀୟ

ଡ୍ରୋନ୍‌ ଦ୍ୱାରା ସୀମା ପାର୍‌ରୁ ଆସୁଛି ଭାରତକୁ ଅସ୍ତ୍ରଶସ୍ତ୍ର, ଗୁପ୍ତ ସୂଚନା…

ଶ୍ରୀନଗର,୨୧।୭ : ଜମ୍ମୁରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ର ୩ ଟି ବଡ ମଡ୍ୟୁଲର ପର୍ଦ୍ଦାଫାଶ ହେବା ପରେ ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ(ଏସ୍‌ଓଜି) ପାକିସ୍ତାନ ନିକଟ କଠୁଆ ଏବଂ ସାମ୍ବା ସୀମାରେ ଏହାର ସୁରକ୍ଷା କାର୍ଯ୍ୟକଳାପକୁ ଜୋରଦାର କରିଛି। ଲଶ୍କର ମଡ୍ୟୁଲ ସାମ୍ନାକୁ ଆସିବା ପରେ ଏସ୍‌ଓଜି ଦଳ ସୀମାରେ ଆତଙ୍କବାଦୀ ଅନୁପ୍ରବେଶର ପାରମ୍ପାରିକ ମାର୍ଗ ଅନୁସନ୍ଧାନ କରିବାରେ ନିୟୋଜିତ ଅଛନ୍ତି। ବିଶେଷକରି ନଦୀ, ଝରଣା ଏବଂ ଜଙ୍ଗଲ ମାର୍ଗରେ ଅଧିକ ସର୍ଚ୍ଚ ଅପରେଶନ ଚାଲିଛି ।

ଏସ୍‌ଓଜିର ଏପରି ଇନପୁଟ ଅଛି ଯେ ଅନ୍ତର୍ଜାତୀୟ ସୀମାର ଅନ୍ୟ ପାର୍ଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଛି ଏବଂ ଆତଙ୍କବାଦୀମାନେ କୌଣସି ବଡ଼ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଏଭଳି ପରିସ୍ଥିତିରେ, ଏସ୍‌ଓଜିର ଟିମ ସିଆର୍‌ପିଏଫ୍‌ ସହିତ ସୁରକ୍ଷା କର୍ଡନକୁ ଆହୁରି ମଜବୁତ କରିଛି ସାମ୍ବା ଏବଂ କଠୁଆରେ ଏସ୍‌ଓଜି ଦ୍ୱାର ସତର୍କ ହେବାର କାରଣ ହେଉଛି ଜମ୍ମୁରୁ ଲଶ୍କର ମଡ୍ୟୁଲରେ ଗିରଫ ହୋଇଥିବା ୭ ଜଣ ଆତଙ୍କବାଦୀ। ଡ୍ରୋନ ମାଧ୍ୟମରେ ସୀମା ପାର୍‌ରୁ ଅସ୍ତ୍ରଶସ୍ତ୍ର ଭାରତ ଆସୁଥିବା ଜଣାପଡ଼ିଛି।

ପାକିସ୍ତାନରୁ ପଠାଯାଉଥିବା ଅସ୍ତ୍ରଶସ୍ତ୍ରକୁ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଗ୍ରହଣ କରି ପରେ ନିର୍ଦ୍ଦେଶ ଅନୁସାରେ କଶ୍ମୀରକୁ ପଠାଯାଉଛି। ଏଥିରେ ଆତଙ୍କବାଦୀ ଫୈଜଲ ମୁନୀର ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ତାଙ୍କର ଦୁଇ ସହଯୋଗୀ ହବିବ ଏବଂ ମିୟା ସୋହେଲଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ତଥାପି ଲଶ୍କରା କିଛି ଅପରେଟିଭ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି। ଏହି ଅପରେଟିଭଙ୍କ ସନ୍ଧାନ ଏସ୍‌ଓଜି ଦଳ ଦ୍ୱାରା କରାଯାଉଛି ।

Share