ବେଲଗ୍ରେଡ, ୨।୪ : ଗତ ସପ୍ତାହରେ ବେଲଗ୍ରେଡ୍ଠାରେ ଖେଳାଯାଇଥିବା ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଉତ୍ତ୍ୟକ୍ତ ହୋଇ ଗ୍ରାଉଣ୍ଡରେ ଆର୍ମ ବ୍ୟାଣ୍ଡ ଫୋପାଡି ଦେଇଥିଲେ। ଏହି ଆର୍ମ ବ୍ୟାଣ୍ଡକୁ ଏକ ଚ୍ୟାରିଟି ନିଲାମ ପ୍ରକ୍ରିୟାରେ ୬୪ ହଜାର ୟୁରୋ (୭୫ ହଜାର ଡଲାର) ମୂଲ୍ୟରେ କିଣିଛନ୍ତି ଅଜଣା କ୍ରେତା। ଏହାର ମୂଲ୍ୟ ଭାରତୀୟ ମୂଦ୍ରାରେ ୫୫.୦୮ ଲକ୍ଷରୁ ଅଧିକ। ଏ ନେଇ ସର୍ବିଆନ ଷ୍ଟେଟ୍ ଟିଭିରେ ଶୁକ୍ରବାର ପ୍ରକାଶ ପାଇଛି ଏକ ରିପୋର୍ଟ।
ସ୍ପାଇନାଲ ମସ୍କୁଲାର ଆଟ୍ରୋଫି ସହ ସଂଘର୍ଷ କରୁଥିବା ଏକ ୬ ମାସର ଶିଶୁପୁତ୍ରର ଜୀବନ ବଞ୍ଚାଇବା ଲାଗି ରୋନାଲ୍ଡୋଙ୍କ ନୀଳ ରଙ୍ଗର ଆର୍ମ ବ୍ୟାଣ୍ଡକୁ ଅନଲାଇନ୍ରେ ନିଲାମ କରାଯାଇଥିଲା। ୩ ଦିନ ଧରି ଚାଲିଥିବା ନିଲାମ ପ୍ରକ୍ରିୟାରେ ଦେଖାଦେଇଥିଲା ବହୁ ବାଦ୍ବିବାଦ।
ଉଲ୍ଲେଖଯୋଗ୍ୟ, ଗତ ଶନିବାର ସର୍ବିଆ ଓ ପର୍ତ୍ତୁଗାଲ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୨-୨ ଗୋଲରେ ଡ୍ର’ ରହିଥିଲା। ଅତରିକ୍ତ ସମୟରେ ରୋନାଲ୍ଡୋ ଦେଇଥିବା ଗୋଲକୁ ଗ୍ରହଣ କରି ନ ଥିଲେ ରେଫରି। ନ ହେଲେ ପର୍ତ୍ତୁଗାଲ ମ୍ୟାଚ୍କୁ ଜିତି ଯାଇଥାନ୍ତା। ଅନ୍ତିମ ହ୍ବିସିଲ ପୂର୍ବରୁ ଡ୍ରେସିଂ ରୁମ୍ ଆଡ଼େ ଯାଉଥିବାବେଳେ ରୋନାଲ୍ଡୋ ଟଚ୍ ଲାଇନ ନିକଟରେ ଆର୍ମ ବ୍ୟାଣ୍ଡ ଫୋପାଡ଼ି ଦେଇଥିଲେ।