ଅସ୍ତ୍ରବିରତି ଲାଗି ଆର୍ମେନିଆ, ଆଜରବୈଜାନ୍‌ ରାଜି

ମସ୍କୋ,୧୧।୧୦: କିଛିଦିନର ଯୁଦ୍ଧ ପରେ ଶନିବାର ଅସ୍ତ୍ରବିରତି ଲାଗି ରାଜି ହୋଇଛନ୍ତି ଆର୍ମେନିଆ ଓ ଆଜରବୈଜାନ୍‌। ଦୁଇଦେଶର କୂଟନୀତିଜ୍ଞ ଏନେଇ ଘୋଷଣା କରିଛନ୍ତି। ଅସ୍ତ୍ରବିରତି ସହ ଦୁଇଦେଶ ବନ୍ଦୀଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଚୁକ୍ତି କରିଛନ୍ତି। ମସ୍କୋରେ ଦୁଇଦେଶର କୂଟନୀତିଜ୍ଞଙ୍କ ମଧ୍ୟରେ ପ୍ରାୟ ୧୦ ଘଣ୍ଟା ଆଲୋଚନା କରାଯିବା ପରେ ଏଭଳି ପରିଣାମ ବାହାରିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍‌ରୋଭ୍‌ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଅସ୍ତ୍ରବରତି ଯୋଗୁ ବିବାଦର ସମାଧାନ ଲାଗି ଆଲୋଚନା ବାଟ ବାହାରିଛି। ପ୍ରକାଶଥାଉ କି, ସେପ୍ଟେମ୍ବର ୨୭ରେ ଦୁଇ ପଡ଼ୋଶୀ ଦେଶ ଆର୍ମେନିଆ ଓ ଆଜରବୈଜାନ୍‌ ମଧ୍ୟରେ ବିବାଦୀୟ ନାଗୋର୍ନୋ-କାରାବାଖ୍‌କୁ ନେଇ ଯୁଦ୍ଧ ଆରମ୍ଭ ହୋଇଥିଲା। ଏଥିରେ ଶତାଧିକ ମୃତାହତ ହୋଇଥିବା କୁହାଯାଉଛି। ଏହି ବିବାଦୀୟ ଅଞ୍ଚଳ ଆଜରବୈଜାନ୍‌ରେ ଥିବାବେଳେ ଆର୍ମେନିଆ ସେନା ଦ୍ୱାରା ପରିଚାଳିତ ହେଉଥିଲା। ସଂଘର୍ଷ ପରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଦୁଇଦେଶର ବୈଦେଶିକ ମନ୍ତ୍ରୀଙ୍କୁ ଆପୋସ ଆଲୋଚନା ଲାଗି ଆମନ୍ତ୍ରଣ କରିଥିଲେ।

Share