Categories: ଖେଳ

ସରକାରୀ ହସ୍ତକ୍ଷେପ ଲୋଡ଼ିଲେ ଆର୍ମି ଆଥ୍‌ଲେଟ

ନୂଆଦିଲ୍ଲୀ,୧୦ା୮(ପି.ଟି.): ଏସିଆନ ଗେମ୍ସର ପ୍ରସ୍ତୁତି ପାଇଁ ଅର୍ଥ ବାଧକ ସାଜିଥିବାରୁ କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ଜଣ ଆଥ୍‌ଲେଟ। ଭାରତୀୟ ସେନାରେ କାର୍ଯ୍ୟରତ ମେଜର ଅପୂର୍ବ ଦଭାଡେ ଓ ଦଫାଦାର ବିକାଶ କୁମାର ବୁଧବାର କ୍ରୀଡା ମନ୍ତ୍ରଣାଳୟ ଓ ଜାତୀୟ ଫେଡେରେଶନର ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି। ଉଭୟ ଖେଳାଳି ଇଭେଣ୍ଟିଂ ବା ଅଶ୍ୱଚାଳନାରେ ଅଂଶଗ୍ରହଣ କରିଥାନ୍ତି। ଉଭୟ ଖେଳାଳି ଫ୍ରାନ୍ସରେ ଜାତୀୟ କୋଚ୍‌ ରୋଡୋଲ୍ଫ ଶ୍ଚେରରଙ୍କ ଅଧୀନରେ ପ୍ରଶିକ୍ଷଣ ଗ୍ରହଣ କରୁଥିଲେ। ହାଙ୍ଗଝୌ ଏସିଆନ ଗେମ୍ସ ପାଇଁ ଜୁନ୍‌ ୧୫ରୁ ଉଭୟ ଫ୍ରାନ୍ସରେ ରହି ପ୍ରଶିକ୍ଷଣ ନେଉଛନ୍ତି। ତେବେ ଇକ୍ୱିଷ୍ଟ୍ରିଆନ୍‌ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଇଏଫ୍‌ଆଇ) ପକ୍ଷରୁ ରୋଡୋଲ୍ଫଙ୍କ ବେତନ ଦିଆଯାଇ ନ ଥିବାରୁ ଏମାନଙ୍କ ପ୍ରଶିକ୍ଷଣ ବନ୍ଦ ରହିଛି। ଅନ୍ୟ ଦୁଇ ଖେଳାଳି ଆଶିଷ ଲିମାୟେ ଓ ରାଜୁ ସିଂ ବ୍ୟକ୍ତିଗତ ସ୍ପନଶରଶିପ୍‌ରେ ଥିବାରୁ ରୋଡୋଲ୍ଫ ସେମାନଙ୍କ ପ୍ରଶିକ୍ଷଣ ଜାରି ରଖିଛନ୍ତି।
ମେଜର ଅପୂର୍ବ ଏ ନେଇ କେନ୍ଦ୍ର ସରକାର, ସାଇ ଓ ଇଏଫ୍‌ଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। କ୍ରୀଡା ମନ୍ତ୍ରାଳୟର ଉଦ୍ୟମ କାରଣରୁ ହିଁ ଏହି କୋଚିଂ କ୍ୟାମ୍ପ ସମ୍ଭବ ହୋଇଥିଲା। ମାତ୍ର ଅର୍ଥାଭାବ କାରଣରୁ ଜୁଲାଇ ୩୦ ପରଠାରୁ ଆମର ପ୍ରଶିକ୍ଷଣ ବନ୍ଦ ରହିଛି। ଟ୍ରେନିଂ ବନ୍ଦ ରହିଲେ ଏହା ଆମର ପ୍ରଦର୍ଶନକୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ। ଏସିଆନ୍‌ ଗେମ୍ସକୁ ଆଉ ମାତ୍ର ମାସେ ସମୟ ରହିଥିବାରୁ ସରକାର ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଇଏଫ୍‌ଆଇ ମହାସଚିବ କଲୋନେଲ ଜସବୀର ସିଂ ସମାନ ଘଟଣାକୁ ସ୍ବୀକାର କରିଛନ୍ତି। କେନ୍ଦ୍ର ସରକାରଙ୍କ ସହାୟତାରେ ଦୁଇମାସିଆ କ୍ୟାମ୍ପ ଆୟୋଜିତ ହୋଇଥିଲା।

Share