ନେପାଳରେ ସେନା ମୁଖ୍ୟ: ଓଲିଙ୍କୁ ଭେଟିବେ

ନୂଆଦିଲ୍ଲୀ/କାଠମାଣ୍ଡୁ,୪।୧୧: ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ବୁଧବାର ୩ ଦିନିଆ ଗସ୍ତରେ ନେପାଳରେ ପହଞ୍ଚିଛନ୍ତି। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୂର୍ବାହ୍ନ ୧୧ଟା ୩୦ରେ ସେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି। ନେପାଳ ସୈନ୍ୟ ବାହିନୀ ମୁଖ୍ୟ ଲ୍ୟୁଟନାଟ୍‌ ଜେନେରାଲ ପ୍ରଭୁରାମ ଶର୍ମା ଏସମ୍ପର୍କରେ ସୂଚନା ଦେଇଛନ୍ତି। ନରାଓ୍ବଣେଙ୍କ ସହିତ ପତ୍ନୀ ବୀଣା ନରାଓ୍ବଣେ ଏବଂ ଭାରତୀୟ ସେନାର ୪ ଅଧିକାରୀ ମଧ୍ୟ ନେପାଳ ଗସ୍ତରେ ଯାଇଛନ୍ତି। ସେମାନେ ପଶୁପତିନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ନରାଓ୍ବଣେ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ଭେଟିବେ। ନରାଓ୍ବଣେଙ୍କ ରହିବା ପାଇଁ କାଠମାଣ୍ଡୁର ହୋଟେଲ ସୋଲ୍ଟି ଇନ୍‌ର ଗୋସାଇଁକୁଣ୍ଡ ସୁଇଟ୍‌ ରୁମ୍‌ରେ ବ୍ୟବସ୍ଥା କରାଯାଇଛି। ଏଠାରେ ଗତବର୍ଷ ଚାଇନା ରାଷ୍ଟ୍ରପ୍ରତି ଶି ଜିନ୍‌ପିଙ୍ଗ ରାତ୍ରିଯାପନ କରିଥିଲେ। ଗସ୍ତ କାର୍ଯ୍ୟକ୍ରମ ନେଇ କାଠମାଣ୍ଡୁରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ନରାଓ୍ବଣେଙ୍କ ନେପାଳ ଗସ୍ତକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share