Categories: ଜାତୀୟ

ପଠାନକୋଟ ଗସ୍ତରେ ସେନା ମୁଖ୍ୟ

ଶ୍ରୀନଗର,୧୩।୭: ସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌ ନରଓ୍ବଣେ ସୋମବାର ଜମ୍ମୁ-ପଠାନକୋଟ ଅଞ୍ଚଳ ଗସ୍ତ କରିଛନ୍ତି। ପଠାନକୋଟରେ ପହଞ୍ଚିବା ପରେ ନରଓ୍ବଣେ ରାଇଜିଂ ଷ୍ଟାର କୋର୍ପ୍ସର ଆଗୁଆ ଅଞ୍ଚଳରେ ମୁତୟନ ହୋଇଥିବା ସୈନ୍ୟ, ସୁରକ୍ଷା ବ୍ୟବସ୍ଥା ଓ ଅପରେଶନ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି। ଏଥିସହ ସେ ଅନ୍ୟ ଡିଭିଜନର ଅଗ୍ରଗାମୀ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି। ଏହି ସମୟରେ ଜିଓସି ଗୁରୁଜ ଡିଭିଜନର ମେଜର ଜେନେରାଲ ଓ୍ବାଇପି ଖଣ୍ଡୁରୀ ସେନା ମୁଖ୍ୟଙ୍କୁ ସମସ୍ତ ସୁରକ୍ଷା ବିଷୟରେ ସୂଚନା ଦେଇଥିଲେ। ତେବେ ପାକିସ୍ତାନ ପକ୍ଷରୁ କରାଯାଉଥିବା ଅସ୍ତ୍ରବିରତି ଉଲ୍ଲଂଘନ ଓ ଆତଙ୍କବାଦୀ ଅନୁପ୍ରବେଶକୁ ନେଇ ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ନରଓ୍ବଣେ ସେନା ଅଧିକାରୀଙ୍କୁ ସ୍ପଷ୍ଟ କରିଛନ୍ତି। ଏଥିସହ ସେ କହିଛନ୍ତି, ସେନା ଓ ସରକାରଙ୍କ ସମସ୍ତ ଏଜେନ୍ସି କ୍ରମାଗତ ଭାବେ ଏନେଇ ଏକାଠି କାର୍ଯ୍ୟ କରୁଛନ୍ତି। ଅନ୍ୟପଟେ ଏହି ଗସ୍ତ ସମୟରେ ସେନା ମୁଖ୍ୟ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୱେଷ୍ଟର୍ନ କମାଣ୍ଡରର ସମସ୍ତ ର଼୍ୟାଙ୍କର ଅଧିକାରୀଙ୍କୁ ସମ୍ବୋଧିତ କରି ସେମାନଙ୍କ ମନୋବଳ ବଢ଼ାଇଥିଲେ।

Share