ପେଟ୍ରୋଲ ପମ୍ପରେ ତେଲ ପହଞ୍ଚାଇବ ସେନା

ଲଣ୍ଡନ, ୪।୧୦: ଟ୍ୟାଙ୍କର ଚଳାଇବା ପାଇଁ ଡ୍ରାଇଭର ମିଳୁ ନ ଥିବାରୁ ବ୍ରିଟେନରେ ଗୁରୁତର ତୈଳ ସଙ୍କଟ ସୃଷ୍ଟି ହୋଇଛି। ସମସ୍ୟାର ସମାଧାନ ପାଇଁ ସୋମବାରଠାରୁ ପେଟ୍ରୋଲ ପମ୍ପଗୁଡ଼ିକୁ ତେଲ ଯୋଗାଣ କାର୍ଯ୍ୟରେ ସୈନ୍ୟବାହିନୀର ଡ୍ରାଇଭରମାନଙ୍କୁ ନିୟୋଜିତ କରାଯାଇଛି। ତେଲ ଅଭାବକୁ ନେଇ ବ୍ରିଟେନରେ ଉତ୍ତେଜନା ପ୍ରକାଶ ପାଇଛି। ଆଗକୁ ତେଲ ନ ମିଳିବା ଆଶଙ୍କାରେ ଲୋକେ ଅଧିକ ପରିମାଣରେ କିଣି ଗଚ୍ଛିତ ରଖୁଥିବାରୁ ସ୍ଥିତି ଆହୁରି ଖରାପ ହୋଇଛି। ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ ଗାଡ଼ିର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଦଶନ୍ଧି ମଧ୍ୟରେ ବ୍ରିଟେନରେ ଏହା ସର୍ବାଧିକ ତୈଳ ସଙ୍କଟ। ତେବେ ଯୋଗାଣରେ କୌଣସି ଅସୁବିଧା ନାହିଁ, ଟାଙ୍କିରେ ପହଞ୍ଚାଇବାରେ ଅସୁବିଧା ବୋଲି ତୈଳ କମ୍ପାନୀଗୁଡ଼ିକ କହିଛନ୍ତି। ସରକାରଙ୍କ କଠୋର ନୀତି ଯୋଗୁ ଡ୍ରାଇଭର ଟ୍ୟାଙ୍କର ଚଳାଇବାକୁ ରାଜି ହେଉନାହାନ୍ତି। ଅନ୍ୟପକ୍ଷରେ ଡ୍ରାଇଭର ଅଭାବ ପାଇଁ ସରକାର ମହାମାରୀକୁ ଦାୟୀ କରିଛନ୍ତି।

Share