Categories: ଜାତୀୟ

୧୬ ହଜାର ଫୁଟ ଉଚ୍ଚତାରେ ଯବାନଙ୍କ ସଫଳ ଅସ୍ତ୍ରୋପଚାର କଲେ ଡାକ୍ତର

ଲେହ,୧।୧୧: କରୋନା ସମୟରେ ଡାକ୍ତରମାନଙ୍କ ଭୂମିକା ବେଶ୍‌ ପ୍ରଶଂସନୀୟ ରହିଛି। ସେମାନଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆଯାଇଛି। ଏହି ସମୟରେ ୩ ଜଣ ଡାକ୍ତର ୧୬ ହଜାର ଫୁଟ ଉଚ୍ଚତାରେ ଜଣେ ଯବାନଙ୍କ ଚିକିତ୍ସା କରି ଇତିହାସ ସୃଷ୍ଟି କରିଛନ୍ତି। ପୂର୍ବ ଲଦାଖର ଫରୱାର୍ଡ ସର୍ଜିକାଲ ସେଣ୍ଟରରେ ନିଯୁକ୍ତି ପାଇଥିବା ଜଣେ ସୈନିକଙ୍କ ସଫଳ ଅପରେଶନ କରି ଡାକ୍ତରମାନେ ତାଙ୍କ ଆପେଣ୍ଡିକ୍ସକୁ କାଢିଛନ୍ତି। ବିଶେଷ କଥା ହେଉଛି ହେଲିକପ୍ଟର ସାହାଯ୍ୟରେ ତାଙ୍କୁ ଅଣାଯାଇ ନ ପାରିବାରୁ ଡାକ୍ତରମାନଙ୍କୁ ଏତେ ଉଚ୍ଚତାରେ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ସେନା ସୂତ୍ରରୁ ପ୍ରକାଶ ଯେ, ଫିଲ୍ଡ ହସ୍ପିଟାଲର ଏକ ସର୍ଜିକାଲ ଟିମ ୧୬ ହଜାର ଫୁଟ ଉଚ୍ଚତାରେ ଜରୁରୀକାଳୀନ ଅସ୍ତ୍ରୋପଚାର କରିଛନ୍ତି। ପ୍ରବଳ ଥଣ୍ଡା ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ଡାକ୍ତରମାନେ ଅସ୍ତ୍ରୋପଚାର କରିଥିଲେ ଏବଂ ଅପରେସନ ସଫଳ ହୋଇଥିଲା। ଏବେ ସମ୍ପୃକ୍ତ ସୈନିକଙ୍କ ଅବସ୍ଥା ସ୍ଥିର ରହିଛି। ଏହି ଅସ୍ତ୍ରୋପଚାର ଅକ୍ଟୋବର ୨୮ରେ କରାଯାଇଥିଲ। ଅସ୍ତ୍ରୋପଚାର କରିଥିବା ୩ ଜଣିଆ ଡାକ୍ତରୀ ଦଳରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ, ଜଣେ ମେଜର ଏବଂ କ୍ୟାପଟେନ ରହିଥିଲେ।

Share