ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ । କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର ଡିସେମ୍ବର ୩ ରବିବାର ଗୋପାଳପୁରରୁ ଖେଳ ଦେଖି ଫେରୁଥିବା ବେଳେ ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକଠାରେ ତାଙ୍କୁ କିଛି ଦୁର୍ବୃତ୍ତ କୌଣସି କାରଣକୁ ନେଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଯାହାଫଳରେ ସେ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଯାଇଥିଲେ। ପରିବାର ଲୋକ ଖବର ପାଇ ତାଙ୍କୁ ପ୍ରଥମେ ବ୍ରହ୍ମପୁର ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଏବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କାଳିପଲ୍ଲୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ଏ ଘଟଣାକୁ ନେଇ ବୁଧବାର ଚମାଖଣ୍ଡି ଥାନାରେ ୪୪୧/୨୩ ନଂ ଏକ ମାମଲା ରୁଜୁ ହୋଇଥିଲା। ଜେ.ଡିଲେଶ୍ୱରଙ୍କ ସମ୍ପର୍କୀୟ ଲୋକଙ୍କ କହିବା ଅନୁସାରେ, ଦୀର୍ଘବର୍ଷ ହେଲା ଡିଲେଶ୍ୱର ଆର୍ମିରେ କାର୍ଯ୍ୟ କରି ଆସୁଥବା ବେଳେ ଗତ କିଛିଦିନ ତଳେ ସେ ତାଙ୍କ ଗ୍ରାମକୁ ଛୁଟିରେ ଆସିଥିଲେ। ଗତ ୩ ତାରିଖରେ ଗୋପାଳପୁରରୁ ଖେଳ ଦେଖି ସେ ଘରକୁ ଫେରୁଥିବା ବେଳେ ହରିପୁର ଛକଠାରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୁଣ୍ଡ ଓ କାନକୁ ଗଭୀର ଆଘାତ ଲାଗିଥିବାରୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିଲେ। ଏନେଇ ଡିଲେଶ୍ୱରଙ୍କ ମା’ ଗତ ୫ ତାରିଖ ଚମାଖଣ୍ଡି ଥାନାରେ ଏତଲା ଦେଇଥିଲେ। ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା। ଘରେ ତାଙ୍କର ୧୦ ଦିନର ଏକ କନ୍ୟା ସନ୍ତାନ ଥିବା ସୂଚନା ମିଳିଛି।

Share