Categories: ଜାତୀୟ

୧୨ ଉଗ୍ରପନ୍ଥୀଙ୍କୁ ମୁକ୍ତ କଲା ସେନା

ଇମ୍ଫାଲ, ୨୬ା୬ : ମଣିପୁରରେ ସେନା ଯବାନମାନେ ଶନିବାର ଏକ ସ୍ବତନ୍ତ୍ର ଅଭିଯାନରେ ମେଇତି ଉଗ୍ରପନ୍ଥୀ ସଂଗଠନ କଙ୍ଗଲେଇ ୟାଓ୍ବଲ କାନ୍ନା ଲୁପ୍‌ (କଓ୍ବୋଇକେଏଲ୍‌)ର ୧୨ ଜଣ ସଦସ୍ୟଙ୍କୁ ଗିରଫ କରିଥିଲେ। ଏହି ସଂଗଠନ ୨୦୧୫ର ୬ ଡୋଗ୍ରା ୟୁନିଟ୍‌ ଉପରେ ଆକ୍ରମଣ ସମେତ ଅନେକ ଆକ୍ରମଣରେ ସମ୍ପୃକ୍ତ। ଗିରଫ ଉଗ୍ରପନ୍ଥୀଙ୍କ ମଧ୍ୟରେ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତ୍ମଘୋଷିତ ଲ୍ୟୁଟନାଣ୍ଟ କଲୋନେଲ ମୋଇରାଙ୍ଗଥେମ୍‌ ତାମ୍ବା ଓରଫ ଉତ୍ତମ ଥିଲେ, ଯିଏକି ଡୋଗ୍ରା ଆକ୍ରମଣର ମାଷ୍ଟରମାଇଣ୍ଡ। ତେବେ ସ୍ଥାନୀୟ ମହିଳାମାନଙ୍କ ନେତୃତ୍ୱରେ ୧,୨୦୦ରୁ ୧,୫୦୦ ଉତ୍ତ୍ୟକ୍ତ ଲୋକେ ସାରା ଦିନ ଘେରାଉ କରିବାରୁ ସେନା ୧୨ ଉଗ୍ରପନ୍ଥୀଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା। ସେନାକୁ ତା’ର କାମ କରିବାକୁ ଦିଆଯାଉ ବୋଲି ବାରମ୍ବାର ନିବେଦନ ସତ୍ତ୍ୱେ ଉତ୍ତ୍ୟକ୍ତ ଲୋକେ ଶୁଣି ନ ଥିଲେ। ସାଧାରଣ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ନ ହେବା ପାଇଁ ଉଗ୍ରପନ୍ଥୀମାନଙ୍କୁ ଛାଡ଼ିଦେବାକୁ ନିଷ୍ପତ୍ତି ନେଲୁ ବୋଲି ସେନା କହିଛି। ମହିଳାମାନଙ୍କ ନେତୃତ୍ୱରେ ଏତେ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ବଳପ୍ରୟୋଗ କରାଯାଇଥିଲେ ସାଧାରଣ ଲୋକ ମୃତାହତ ହେବାର ଆଶଙ୍କା ଥିଲା। ତେଣୁ ସ୍ଥିତିର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସମସ୍ତ ୧୨ ଜଣ କ୍ୟାଡରଙ୍କୁ ସ୍ଥାନୀୟ ନେତାଙ୍କୁ ହସ୍ତାନ୍ତର କରାଗଲା। ପରିସ୍ଥିତିକୁ ଚାହିଁ ପରିପକ୍ୱ ନିଷ୍ପତ୍ତି ନେବା ପାଇଁ ଅଭିଯାନର ନେତୃତ୍ୱ ନେଉଥିବା କମାଣ୍ଡରଙ୍କୁ ସେନା ପକ୍ଷରୁ ସୁପାରିସ କରାଯାଇଥିଲା।
ଉଗ୍ରପନ୍ଥୀମାନେ ମ୍ୟାନ୍‌ମାରରୁ ମଣିପୁରରେ ଅନୁପ୍ରବେଶ କରିଥିଲେ ବୋଲି ସେନା କହିଛି। ସେଠାକୁ ଅଧିକ ସୁରକ୍ଷା ବଳ ଯାଇଥିଲେ ମଧ୍ୟ ସେମାନଙ୍କୁ ଆଗକୁ ବଢ଼ିବାକୁ ଦିଆଯାଇ ନ ଥିଲା। ସ୍ଥାନୀୟ ଲୋକେ ବ୍ରିଜ୍‌ରୁ ପଟା ଖୋଲିଦେଇଥିଲେ।

Share