Categories: ଜାତୀୟ

ଭାରତ ଉପରେ ଖରାପ ନଜର ରଖୁଥିବା ଦେଶକୁ ମୁହଁତୋଡ ଜବାବ ଦେବ ସେନା: ରାଜନାଥ ସିଂ

ନୂଆଦିଲ୍ଲୀ,୧୫।୮: ପୂର୍ବ ଲଦାଖରେ ଚାଇନା ସହ ସୀମା ବିବାଦ ଏବଂ ସୀମାପାର ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାଁ ନ ନେଇ ଉଭୟ ଦେଶକୁ କଡ଼ା ଜବାବ ଦେଇଛନ୍ତି। ଦେଶର ୭୭ତମ ସ୍ବାଧୀନତା ଦିବସ ଅବସରରେ ସେ କହିଛନ୍ତି, ଭାରତ ସର୍ବଦା ଶାନ୍ତି ପ୍ରେମୀ ଦେଶ ରହିଆସିଛି, କିନ୍ତୁ ଶତ୍ରୁତା ଭାବ ରଖୁଥିବା ଦେଶକୁ କେବେ ଛାଡିବ ନାହିଁ। ସଶସ୍ତ୍ର ବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜାଇବା ଏବଂ ଭବିଷ୍ୟତର ଆହ୍ବାନକୁ ମୁକାବିଲା କରିବା ପାଇଁ ସରକାର ତାଲିମ ଦେଉଛନ୍ତି।
ଏକ ରାଷ୍ଟ୍ର ଭାବରେ ଆମର ପ୍ରାଚୀନ ନୀତି ସମଗ୍ର ବିଶ୍ୱକୁ ଏହି ବାର୍ତ୍ତା ଦେଇଥାଏ ଯେ ଭାରତ ସର୍ବଦା ଶାନ୍ତି ସପକ୍ଷରେ ଅଛି। ଆମେ କେବଳ ଶାନ୍ତି ଚାହୁଁନାହୁଁ, ବରଂ ଆମର କାର୍ଯ୍ୟ ମାଧ୍ୟମରେ ଶାନ୍ତି ପ୍ରତି ଆମର ପ୍ରତିବଦ୍ଧତା ମଧ୍ୟ ପ୍ରକାଶ କରୁ । କିନ୍ତୁ ଯଦି କେହି ଆମକୁ ଭୁଲ ଉଦ୍ଦେଶ୍ୟରେ କିମ୍ବା ଶତ୍ରୁତା ଭାବିବାକୁ ମଧ୍ୟ ସାହସ କରନ୍ତି, ତେବେ ଆମର ସୈନ୍ୟମାନେ ଉପଯୁକ୍ତ ଜବାବ ଦେବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
ରାଜନାଥ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏହାର ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ଭାରତ ସରକାର କୌଣସି ପ୍ରକାରର ଆପୋଷ ବୁଝାମଣା କରିବେ ନାହିଁ। ଆମର ସଶସ୍ତ୍ର ବାହିନୀକୁ ଅଧିକ ସଶକ୍ତ ଏବଂ ନୂତନ ଆହ୍ବାନର ମୁକାବିଲା କରିବାକୁ ସକ୍ଷମ ହେବା ଆବଶ୍ୟକ। ୧୯୪୭ରେ ଭାରତ ସ୍ବାଧୀନ ହୋଇଥିଲା, କିନ୍ତୁ ଏହି ସ୍ବାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସୈନିକମାନଙ୍କ ଦ୍ୱାରା କରାଯାଇଥିବା ସର୍ବୋଚ୍ଚ ବଳିଦାନ ପାଇଁ ଦେଶ ସର୍ବଦା ସେମାନଙ୍କ ନିକଟରେ ଋଣୀ ରହିବ।

Share