Categories: ଜାତୀୟ

ସେନାରେ ଖୁବ୍‌ଶୀଘ୍ର ନିୟୋଜନ ହେବ ୟୁଜିଭି, ସୀମାରେ ଶତ୍ରୁଙ୍କ ଉପରେ ରଖିବ ନଜର

ନୂଆଦିଲ୍ଲୀ,୩୦।୯: ଭାରତୀୟ ସେନାରେ ନିୟୋଜିତ ହେବାକୁ ଯାଉଛି ସ୍ବୟଂ ଚାଳିତ ଏପରି ଏକ ଯାନ ଯାହା ସୀମାବର୍ତ୍ତୀ ଇଲାକାରେ ନଜର ରଖିବ। ସ୍ବତନ୍ତ୍ର ଓ ଆଧୁନିକ ଯନ୍ତ୍ରପାତି ସହିତ ସଜ୍ଜିତ ଏହି ମାନବ ବିହୀନ ଗ୍ରାଉଣ୍ଡ ଯାନ (ୟୁଜିଭି) ଶୀଘ୍ର ଭାରତୀୟ ସେନାରେ ବ୍ୟବହୃତ ହେବ। ଏହି ଯାନ ଭାରତରେ ନିର୍ମାଣ ହୋଇଛି। ଏହି ୟୁଜିଭି ୟୁରୋପର ଅନେକ ଦେଶରେ ବ୍ୟବହୃତ ହେଉଛି। ଏହି ଯାନକୁ ମିନି ସିସିଟିଭି କଣ୍ଟ୍ରୋଲ ରୁମ କହିଲେ ବି ଅନ୍ୟଥା ହେବ ନାହିଁ। ଏଥିରେ କୌଣସି ମଣିଷ ରହିବେ ନାହିଁ କିନ୍ତୁ ଏହା ରିମୋଟ କଣ୍ଟ୍ରୋଲ ଦ୍ୱାରା ପରିଚାଳିତ ହେବ।

ଏହି ସିସିଟିଭି ନିୟନ୍ତ୍ରିତ ଯାନ ମାଧ୍ୟମରେ ଯଦି ଆବଶ୍ୟକ ହୁଏ ତେବେ ପ୍ରାୟ ୩୫୦ କିଲୋଗ୍ରାମ ଗୋଳା ବାରୁଦ ସହ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ରଖାଯାଇପାରିବ। ଏହି ୟୁଜିଭି ୭୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ରଖିବାରେ ଓ କେମିମାଲ ସ୍ପ୍ରେ କରିବାରେ ସକ୍ଷମ। ଏହି ଯାନ ତିଆରି କରୁଥିବା କମ୍ପାନୀର ନାମ ହେଉଛି କଲ୍ୟାଣୀ ଗ୍ରୁପ।

ସୂଚନାନୁସାରେ, ପାରାମିଲିଟାରୀ ଫୋର୍ସର ଅଧିକାରୀମାନେ କହିଛନ୍ତି, ଆଗାମୀ ଦିନରେ ଝାଡଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ଓଡ଼ିଶା ଭଳି ନକ୍ସଲ ପ୍ରଭାବିତ ରାଜ୍ୟରେ ପାରାମିଲିଟାରୀ ଫୋର୍ସ ଦ୍ୱାରା ଏହିପରି ଆଧୁନିକ ୟୁଜିଭି ଯାନ ବ୍ୟବହାର କରାଯାଇପାରିବ। ଏହାଦ୍ୱାରା ନକ୍ସଲ ପ୍ରଭାବିତ ଅଞ୍ଚଳରେ ସହଜରେ ପ୍ରବେଶ କରି ସେହି ଅଞ୍ଚଳର ଅନୁସନ୍ଧାନ କରିପାରିବ। କେଉଁଠାରେ କେତେ ନକ୍ସଲମାନେ ଲୁଚି ରହିଛନ୍ତି ପ୍ରାୟ ୧୦ କିଲୋମିଟର ଦୂରରୁ ନଜର ରଖିହେବ।

Share