Categories: ଜାତୀୟ

ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫକୁ ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କଲେ ଅମିତ ଶାହା

ନୂଆଦିଲ୍ଲୀ, ୪।୧୧: ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ମାଲିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ୧୯୭୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା। ଏକ ଟୁଇଟ୍‌ରେ ଶାହା କହିଛନ୍ତି ଯେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ପୁଣିଥରେ ଗଣତନ୍ତ୍ରକୁ ଲଜ୍ଜିତ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତି ସହିତ ଏହି କାର୍ଯ୍ୟକୁ ତୁଳନା କରି ସେ କହିଛନ୍ତି ରିପବ୍ଲିକ ଟିଭି ଏବଂ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ରାଜ୍ୟ କ୍ଷମତାର ଅପବ୍ୟବହାର ହେଉଛି। ବ୍ୟକ୍ତିଗତ ସ୍ବାଧୀନତା ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ। ଏହା ଆମକୁ ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇଥାଏ। ମୁକ୍ତ ଗଣମାଧ୍ୟମ ଉପରେ ହୋଇଥିବା ଏହି ଆକ୍ରମଣକୁ ସର୍ବଦା ନିନ୍ଦା କରାଯିବା ଉଚିତ୍‌ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅର୍ନବଙ୍କୁ ବୁଧବାର ସକାଳେ ମୁମ୍ବାଇ ପୋଲିସ ବିନା ନୋଟିସରେ ତାଙ୍କୁ ବାସଭବନରୁ ଗିରଫ କରିଥିଲା।

Share