Categories: ଜାତୀୟ

ଅର୍ଣ୍ଣବଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ

ମୁମ୍ବାଇ, ୮।୧୧: ରିପବ୍ଲିକାନ ଟିଭିର ଏଡିଟର-ଇନ୍‌-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀ ଅନ୍ତରୀଣ ଜାମିନ ପାଇଁ କରିଥିବା ଆବେଦନ ଉପରେ ବମ୍ବେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଫଳରେ ଶନିବାର ତାଙ୍କର ହାଜତରୁ ବାହାରିବା ସମ୍ଭବ ହୋଇନାହିଁ। ୨୦୧୮ରେ ସେ ଇଣ୍ଟେରିୟର ଡିଜାଇନର ଅନ୍ବୟ ନାଏକଙ୍କ ପାରିଶ୍ରମିକ ପୈଠ କରି ନ ଥିଲେ। ଗୁରୁତର ଆର୍ଥତ୍କ ସଙ୍କଟର ସମ୍ମୁଖୀନ ହୋଇ ଅନ୍ବୟ ଓ ତାଙ୍କ ମାଆ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ ଗତ ବୁଧବାର ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିଲା। ଜଷ୍ଟିସ୍‌ ଏସ୍‌.ଏସ୍‌. ସିନ୍ଦେ ଏବଂ ଏମ୍‌.ଏସ୍‌. କାର୍ନିକଙ୍କ ଖଣ୍ଡପୀଠ ଶୁଣାଣି ଶେଷ କରିବା ପରେ ଖୁବ୍‌ଶୀଘ୍ର ରାୟ ପ୍ରକାଶ କରିବେ ବୋଲି କହିଛନ୍ତି। କେବେ ରାୟ ଘୋଷଣା ହେବ ତାହା କୁହାଯାଇନାହିଁ। ତେବେ ଆବେଦନକାରୀ ଚାହିଁଲେ ନିୟମିତ ଜାମିନ ଲାଗି ସେସନ୍ସ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ।
ଅନ୍ତରୀଣ ଜାମିନ ଆବେଦନରେ ଅର୍ଣ୍ଣବ ଦର୍ଶାଇଥିଲେ, ଗିରଫବେଳେ ପୋଲିସ ତାଙ୍କୁ ମାର୍‌ପିଟ କରିବା ସହ ଏକ ତରଳ ପଦାର୍ଥ ଜବରଦସ୍ତ ପିଆଇଥିଲେ। ଏହାକୁ ପିଇବା ବେଳେ ତାଙ୍କ ଶ୍ୱାସରୁଦ୍ଧ ହୋଇଯାଇଥିଲା। ପୋଲିସ ବୁଟ୍‌ ମାଡ଼ରେ ତାଙ୍କ ସ୍ପାଇନାଲ କର୍ଡ ଗୁରୁତର ଆଘାତ ପାଇଥିବା ଅର୍ଣ୍ଣବ ଅଭିଯୋଗ କରିଛନ୍ତି।

ରିମାଣ୍ଡ ଶୁଣାଣି ୯ରେ

ଅର୍ଣ୍ଣବ ଗୋସ୍ବାମୀଙ୍କୁ ରିମାଣ୍ଡରେ ନେବା ଲାଗି ପୋଲିସ କରିଥିବା ଆବେଦନର ଶୁଣାଣି ୯ ତାରିଖରେ କରିବାକୁ ରାୟଗଡ଼ ଜିଲା ଆଲିବାଗ୍‌ ସେସନ୍ସ କୋର୍ଟ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ପୋଲିସ କରିଥିବା ଆବେଦନକୁ ମାଜିଷ୍ଟ୍ରେଟ କୋର୍ଟ ଖାରଜ କରିଦେଇଥିଲେ। ଏହାକୁ ସେମାନେ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତଳକୋର୍ଟର ରାୟକୁ ଖାରଜ କରି ଅର୍ଣ୍ଣବ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ଲାଗି ଅନୁମତି ଦେବାକୁ ପୋଲିସ ଅନୁରୋଧ କରିଥିଲା।

 

Share