Categories: ଜାତୀୟ

‘ଯଦି ମୁଁ ଦାୟୀ ତେବେ ମୋତେ ଫାସୀ ଦିଆଯାଉ’

ଶ୍ରୀନଗର,୨୨।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି। ଫିଲ୍ମଟି ରିଲିଜ ପରେ ଏବେ ୧୯୯୦ ମସିହାରେ ପ୍ରକୃତରେ କ’ଣ ଘଟିଥିଲା ତାହା ସାମ୍ନାକୁ ଆସିଛି। କିଭଳି ଭାବେ କଶ୍ମୀର ପଣ୍ଡିତମାନେ ଅତ୍ୟାଚାରର ଶିକାର ହୋଇଥିଲେ ତାହା ଏହି ଫିଲ୍ମରେ ଦର୍ଶାଯାଇଛି।
ତେବେ ଏହି ଫିଲ୍ମ ରିଲିଜ୍‌ ହେବା ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଟାର୍ଗେଟ କରାଯାଇଛି। ସେ ସମୟରେ ଘଟିଥିବା ଘଟଣା ପାଇଁ ଫାରୁକ ଅବଦୁଲ୍ଲା ଦାୟୀ ଏବଂ ସେ କଶ୍ମୀର ପଣ୍ଡିତଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ନେଇ ଲୋକେ କହିବା ଆରମ୍ଭ କରିଦେଇଛନ୍ତି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଫାରୁକ ଅବଦୁଲ୍ଲା। ୧୯୯୦ରେ କଶ୍ମୀରରେ ଯାହା ଘଟିଥିଲା ତାହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି। ସେ ସମୟ ବହୁତ ଖରାପ ସମୟ ଥିଲା। ସେହି ସମୟରେ କଶ୍ମୀର ପଣ୍ଡିତମାନେ ସମ୍ମୁଖୀନ ହୋଇଥିବା ଅସୁବିଧା ପାଇଁ ମୋର ହୃଦୟ ଏବେ ବି କାନ୍ଦୁଛି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଫାରୁକ ଅବଦୁଲ୍ଲା।

ସେ ଆହୁରି କହିଛନ୍ତି, ୧୯୯୦ରେ ଯାହା ଘଟିଲା ତାହା ଏକ ଷଡଯନ୍ତ୍ର ଥିଲା, ଏହି ଷଡଯନ୍ତ୍ରର ଅନୁସନ୍ଧାନ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବା ଉଚିତ। ତେବେ ଯାଇ ଏଥିରେ କିଏ ଜଡିତ ଅଛି ତାହା ଜଣାପଡିବ। କିନ୍ତୁ ମୁଁ ଏଥିପାଇଁ ଦାୟୀ ନୁହେଁ। ଯଦି ମୁଁ ଦାୟୀ ବୋଲି ପ୍ରମାଣ ମିଳେ, ତେବେ ମୋତ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଉ ବୋଲି ସେ କହିଛନ୍ତି।

Share