ସାଉଥାମ୍ପଟନ, ୨୦।୫ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ ପାଇଁ ଷ୍ଟାଡିୟମ ମଧ୍ୟରେ ଦର୍ଶକଙ୍କୁ ଅନୁମତି ମିଳିବ। ୪ ହଜାର ଦର୍ଶକଙ୍କ ଉପସ୍ଥିତିରେ ଏହି ବହୁ ପ୍ରତିକ୍ଷିତ ୫ ଦିନିଆ ମ୍ୟାଚ୍ ଖେଳାଯିବ। ଏ ନେଇ ହାମ୍ପାଶାୟାର କାଉଣ୍ଟି କ୍ଲବ ମୁଖ୍ୟ ରଡ୍ ବ୍ରାନ୍ସଗ୍ରୋଭ କହିଛନ୍ତି।
ୟୁକେରେ କୋଭିଡ୍-୧୯ ସ୍ଥିତିରେ ସୁଧାର ଆସିଛି। ଏହି କାରଣରୁ ୨୦୧୯ ସେପ୍ଟେମ୍ବର ପରେ ପ୍ରଥମ ଥର ପାଇଁ ଇଂଲଣ୍ଡର ଷ୍ଟାଡିୟମରେ ଦର୍ଶକ କ୍ରିକେଟ ମ୍ୟାଚ୍ର ମଜା ନେଇପାରିବେ। ଗୁରୁବାରଠାରୁ ଲେସିଷ୍ଟରସାୟାର ଓ ହାମ୍ପଶାୟାର ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା କାଉଣ୍ଟି ମ୍ୟାଚ୍ରେ ୧,୫୦୦ ଦର୍ଶକ ଯୋଗଦେବେ।
ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ ଏବଂ ଆଇସିସି ୪ ହଜାର ଦର୍ଶକଙ୍କୁ ଅନୁମତି ଦେଇଛନ୍ତି। ଏହାର ୫୦ ପ୍ରତିଶତ ଆଇସିସିର ସ୍ପନଶର ଓ ଅନ୍ୟ ଅଂଶୀଦାର ପାଇଁ ରିଜର୍ଭ ରହିବ। ବଳକା ୨ ହଜାର ଟିକେଟ୍ ବିକ୍ରି ହେବ। ଏଥି ଲାଗି ଦୁଇ ଗୁଣା ଦର୍ଶକ ଆବେଦନ କରିସାରିଛନ୍ତି ବୋଲି ବ୍ରାନ୍ସଗ୍ରୋଭ କହିଛନ୍ତି।