ଅଗଷ୍ଟ ୧୮ ଯାଏ ଜେଲରେ ରହିବେ ପାର୍ଥ-ଅର୍ପିତା

କୋଲକାତା,୫।୮: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୧୮ ଯାଏ ଅର୍ଥାତ ଆସନ୍ତା ୧୪ ଦିନ ଯାଏ ଜେଲରେ ରହିବେ। ଉଭୟଙ୍କୁ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରି ଜେରା କରୁଥିଲା। ଶୁକ୍ରବାର ରିମାଣ୍ଡ ଅବଧି ଶେଷ ହେଉଥିବାରୁ ସେମାନଙ୍କୁ କୋଲକାତା ସିଟି ସେସନ୍ସ କୋର୍ଟରେ ହାଜର କରାଯାଇଥିଲା। ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବା ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି।

ଜୁଲାଇ ୨୩ ତାରିଖରୁ ପାର୍ଥ ଓ ଅର୍ପିତାଙ୍କୁ ଇଡି ନିଜ ହେପାଜତରେ ରଖିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଅର୍ପିତାଙ୍କର ଦୁଇଟି ଘରୁ ନଗଦ ୫୦ କୋଟି ଟଙ୍କା ଓ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଥିଲା। ଏହାପରେ ପ୍ରଥମେ ପାର୍ଥ ଓ ପରେ ଅର୍ପିତାଙ୍କୁ ଗିରଫ କରାଯାଇଥିଲା। ଶୁକ୍ରବାର ଏହାର ଶୁଣାଣି ବେଳେ ପାର୍ଥଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। ଏବେ ସେ ଜଣେ ସାମାନ୍ୟ ବ୍ୟକ୍ତି। ତେଣୁ ସେ ଫେରାର ହେବେ ନାହିଁ। ଏପରିକି ସେ ବିଧାୟକପଦ ଛାଡ଼ିବା ନେଇ ବିଚାର କରୁଥିବା କହିଥିଲେ। ହେଲେ କୋର୍ଟ ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

Share