Categories: ଜାତୀୟ

ପୁଣି ଅର୍ପିତାଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

କୋଲକତା,୨୭।୭: ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଅଡୁଆ ବଢିବାରେ ଲାଗିଛି। ବୁଧବାର ଇଡି ଟିମ୍‌ ତାଙ୍କ ଆଉ ଏକ ଘରେ ଚଢାଉ କରିଛି। ଚଢାଉରେ ତାଙ୍କ ଘରୁ ବିଡ଼ା ବିଡ଼ା ନୋଟ ଜବତ କରାଯାଇଛି। ନୋଟ ଏତେ ମାତ୍ରାରେ ଅଛି ଯେ, ଇଡି ଟିମ୍‌ ଏହାକୁ ଗଣିବା ପାଇଁ ଏକ ମେଶିନ ସହ ପାଞ୍ଚ ଜଣ ବ୍ୟାଙ୍କ ଅଧିକାରୀଙ୍କୁ ଡକାଇଛି। କେତେ ଟଙ୍କା ମିଳିଛି ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଅର୍ପିତାଙ୍କ ଘରୁ କିଛି ସମ୍ପତ୍ତି ଦଲିଲ ମଧ୍ୟ ଜବତ କରାଯାଇଛି।
ଇଡି ଅର୍ପିତାଙ୍କ କ୍ଲବ ଟାଉନ୍‌ ସ୍ଥିତ ଆପାର୍ଟମେଣ୍ଟ ଉପରେ ଚଢାଉ କରିଥିଲା। ଏହି ଚଢାଉରେ ଟଙ୍କା ସହ ତାଙ୍କର ଦୁଇଟି ଡାଏରୀ ଜବତ କରାଯାଇଥିଲା। ଏହି ଡାଏରୀଗୁଡ଼ିକ ମଧ୍ୟରୁ ଗୋଟିଏରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ବ୍ୟବହୃତ ନଗଦ ଟଙ୍କା ବିଷୟରେ ସୂଚନା ରହିଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ପରିଷଦ ଓ ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷା ସେବା କମିଶନ ନିଯୁକ୍ତି ପରୀକ୍ଷା ଦୁର୍ନୀତି ତଦନ୍ତ କରିବାକୁ ଯାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଥିଲା। ଏହି ଚଢାଉରେ ଅର୍ପିତାଙ୍କ ଘରୁ ନଗଦ ୨୧ କୋଟି ଟଙ୍କା ମିଳିଥିଲା। ଅର୍ପିତା ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି।

Share