Categories: ଜାତୀୟ

ଅର୍ପିତାଙ୍କ ଘରୁ ୪ ବିଳାସପୂର୍ଣ୍ଣ କାର୍‌ ଗାଏବ

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ସ୍କୁଲ ସେବା କମିଶନ(ଏସ୍‌ଏସ୍‌ସି) ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୁସନ୍ଧାନ ଚାଲିଛି। ଏହି ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ତେବେ ଇଡି ରେଡ୍‌ ପରେ ଅର୍ପିତାଙ୍କ ଡାଏମଣ୍ଡ ସିଟି ଆପାର୍ଟମେଣ୍ଟରୁ ଚାରିଟି ବିଳାସପୂର୍ଣ୍ଣ କାର କୁଆଡେ ଗାଏବ ହୋଇଯାଇଛି। ଏହି କାର୍‌ ମଧ୍ୟରୁ ଦୁଇଟି କାର ଅର୍ପିତା ମୁଖାର୍ଜୀଙ୍କ ନାଁରେ ଥିଲା। ଗାଏବ କାର୍‌ଗୁଡିକ ମଧ୍ୟରେ ଅଡି ଏ୪, ହୋଣ୍ଡା ସିଟି, ହୋଣ୍ଡା ସିଆର୍‌ଭି ଏବଂ ମର୍ସିଡିଜ ବେଞ୍ଜ ରହିଛି। ଇଡି ଅଧିକାରୀମାନେ ସିସିଟିଭିରୁ ସବିଶେଷ ତଥ୍ୟ ଯାଞ୍ଚ କରୁଛନ୍ତି। ଏପରିକି ଇଡି ଅଧିକାରୀମାନେ ଅର୍ପିତାଙ୍କ ବେଲଗୋରିଆ ଫ୍ଲାଟରୁ ସିସିଟିଭି ବିବରଣୀ ଖୋଜିଛନ୍ତି।
ପଶ୍ଚିମବଙ୍ଗ ସ୍କୁଲ୍‌ ସେବା କମିଶନଙ୍କ ସୁପାରିସ କ୍ରମେ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ଲାଗି ଶିକ୍ଷକ ଓ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ବେଳେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ନେଇଛି। ଏଥିସହିତ ଦୁର୍ନୀତିର ମନିଲଣ୍ଡରିଂ ଦିଗ ଉପରେ ଇଡି ତଦନ୍ତ କରି ପାର୍ଥ ଓ ତାଙ୍କ ସହଯୋଗୀ ଅର୍ପିତାଙ୍କ ଘରୁ ବିପୁଳ ଅର୍ଥ ଜବତ କରିଛି।
ସ୍କୁଲ୍‌ ନିଯୁକ୍ତି ଦୁର୍ନୀତି ସମୟରେ ପାର୍ଥ ଶିକ୍ଷାମନ୍ତ୍ରୀ ଥିଲେ। ସେତେବେଳେ ନିଯୁକ୍ତି ପ୍ରଦାନ ଲାଗି ଆଶାୟୀ ପ୍ରାର୍ଥୀମାନଙ୍କଠାରୁ କୋଟି କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ଉକ୍ତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପାର୍ଥଙ୍କୁ ଗିରଫ କରିଥିଲା। ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କର ଦୁଇଟି ଘର ଉପରେ ଇଡି ଚଢ଼ାଉ ବେଳେ ପାଖାପାଖି ୫୦ କୋଟି ନଗଦ ଟଙ୍କା ଓ ୫ କିଲୋଗ୍ରାମ ସୁନା ଜବତ ହୋଇଛି। ଏଥିସହିତ ଚଢ଼ାଉ ବେଳେ ବିଭିନ୍ନ ସମ୍ପତ୍ତିର ଦସ୍ତାବିଜ ଓ ବିଦେଶୀ ମୁଦ୍ରା ମଧ୍ୟ ମିଳିଛି। ପାର୍ଥ ଓ ତାଙ୍କ ଲୋକମାନେ ଅର୍ପିତାଙ୍କ ଘରକୁ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ ବୋଲି ଅଭିନେତ୍ରୀ ଜଣକ ଇଡି ଜେରାବେଳେ ସ୍ବୀକାର କରିଛନ୍ତି।

 

Share