ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କର: ହାଇକୋର୍ଟ

କଟକ,୨୮।୬ (କାର୍ତ୍ତିକ ସାହୁ)
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ଉପଲକ୍ଷେ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନିମନ୍ତେ ରେଲଓ୍ବେ ବୋର୍ଡକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁସଂଖ୍ୟକ ଭକ୍ତଙ୍କ ଆଗମନ ଦୃଷ୍ଟିରୁ ବିଭିନ୍ନ ସ୍ଥାନରୁ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ପାଇଁ ବ୍ୟବସ୍ଥା କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଟ୍ରେନ୍‌ ଚଳାଚଳ କରିବା ଓ ଏ ନେଇ ଯାତ୍ରୀଙ୍କୁ ଅବଗତ କରାଇବା ସହ ସେମାନଙ୍କ ନିମନ୍ତେ ବ୍ୟବସ୍ଥା କରିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା। ପରଦିନ ଅର୍ଥାତ ଗୁରୁବାର ତିନି ରଥରେ ଶ୍ରୀଜୀଉମାନଙ୍କ ସୁନାବେଶ। ଏହି ଦୁର୍ଲଭ ବେଶ ଦେଖିବା ନିମନ୍ତେ ବହୁସଂଖ୍ୟକ ଭକ୍ତଙ୍କ ସମାଗମ ହେବ। ରଥଯାତ୍ରାରେ ପୁରୀକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ବ୍ୟବସ୍ଥା ହୋଇଥିଲାବେଳେ ବାହୁଡ଼ା ଯାତ୍ରା ଓ ସୁନାବେଶ ସମୟରେ ସ୍ବତନ୍ତ୍ର ଟ୍ରେନ୍‌ ନାହିଁ। ଫଳରେ ବିଭିନ୍ନ ପ୍ରାନ୍ତରୁ ପୁରୀକୁ ଆସୁଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ। ଏହାକୁ ଦୃଷ୍ଟିରେ ରଖି ସାମାଜିକ କର୍ମୀ ସରସ୍ବତୀ ବେହେରା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରି ସ୍ବତନ୍ତ୍ର ଟ୍ରେନ ଚଳାଚଳ ନିମନ୍ତେ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କେ.କେ. ସ୍ବାଇଁ ମାମଲା ପରିଚାଳନା କରୁଥିଲେ।