ଟ୍ରେନ୍‌ ଦୁର୍ଘଟଣା ମୃତକଙ୍କ ସଂସ୍କାର ଲାଗି ବିଏମ୍‌ସିର ୫ ଶ୍ମଶାନରେ ବ୍ୟବସ୍ଥା

ଭୁବନେଶ୍ୱର,୮ା୬(ବ୍ୟୁରୋ): ଏମ୍‌ସ ଭୁବନେଶ୍ୱରେ ଟ୍ରେନ୍‌ ଦୁର୍ଘଟଣା ମୃତକଙ୍କ ମୃତଦେହ ରଖାଯାଇଛି। ଅନେକ ମୃତଦେହ ଏଯାଏ ଚିହ୍ନଟ ହୋଇପାରି ନାହିଁ। କେହି ଦାବିଦାର ନ ଥିବାରୁ ସେଗୁଡିକୁ ନେଇ ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ ମୃତଦେହ ନେଉଥିବା କେତେକ ପରିବାର ଭୁବନେଶ୍ୱରରେ ସଂସ୍କାର କରିବାକୁ ଚାହୁଁଛନ୍ତି। ତେଣୁ ଏମାନଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଉଛି। ସହରର ୫ଟି ଶ୍ମଶାନରେ ଏଥିପାଇଁ ବନ୍ଦୋବସ୍ତ କରାଯାଇଛି। ସତ୍ୟନଗର ଶଶ୍ମାନ, ପାତ୍ରପଡ଼ା ଶ୍ମଶାନ, ଶିଖରଚଣ୍ଡୀ ବସ୍ତି ଶ୍ମଶାନ, ଭରତପୁର ଶ୍ମଶାନ ଓ ଆଇଗିଣିଆ ଶ୍ମଶାନରେ ମୃତଦେହ ଦାହ ପାଇଁ ଅନୁମତି ରହିଛି। ଏହାର ସୁପରିଚାଳନା ନେଇ ବିଏମ୍‌ସି ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ମୃତଶରୀରଗୁଡ଼ିକ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷିତ ରଖାଯାଇଛି। ମାତ୍ର ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ବିହାର, ପଶ୍ଚିମବଙ୍ଗ, ଚେନ୍ନାଇ ଆଦି ଅଞ୍ଚଳର ମୃତକ ରହିଛନ୍ତି। ତେଣୁ ଦୂରଦୂରାନ୍ତକୁ ଶବ ନେବାରେ କୌଣସି ଅସୁବିଧା ଥିଲେ ପରିବାର ଲୋକ ଏଠାରେ ଶବଦାହ କରିପାରିବେ ବୋଲି ସେ କହିଛନ୍ତି।

Share