ହରିୟାଣାର କୁରୁକ୍ଷେତ୍ରରେ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଶୁକ୍ରବାର ଖାପ୍ ମହାପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ବ୍ରିଜ୍ଭୂଷଣଙ୍କୁ ଗିରଫ କରା ନ ଗଲେ କୃଷକମାନେ ଜୁନ୍ ୯ରେ ବିକ୍ଷୋଭରତ କୁସ୍ତିଯୋଦ୍ଧାଙ୍କୁ ଦିଲ୍ଲୀର ଯନ୍ତରମନ୍ତରକୁ ପୁଣି ନେଇଯିବେ। ଏଥିପାଇଁ ସରକାରଙ୍କୁ ମହଲତ ଦିଆଯାଇଛି। ଧାର୍ଯ୍ୟ ତାରିଖ ପୂର୍ବରୁ ବ୍ରିଜ୍ଭୂଷଣଙ୍କୁ ଗିରଫ କରାଯାଉ। ଅନ୍ୟଥା ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଖାପ୍ ମହାପଞ୍ଚାୟତ ଶେଷ ହେବା ପରେ ଭାରତୀୟ କିଷାନ୍ ୟୁନିୟନ୍ (ବିକେୟୁ) ନେତା ରାକେଶ ଟିକାଏତ୍ ଖବରଦାତାମାନଙ୍କୁ କହିଛନ୍ତି। ଏଥିସହ କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ରୁଜୁ କରିଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବାକୁ ଟିକାଏତ୍ ଦାବି କରିଛନ୍ତି। ୧୯୮୩ରେ ଭାରତ ପାଇଁ ବିଶ୍ୱକପ୍ ଆଣିଦେଇଥିବା କ୍ୟାପ୍ଟେନ୍ କପିଲ ଦେବଙ୍କ କ୍ରିକେଟ ଟିମ୍ ମଧ୍ୟ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରି ଦିଲ୍ଲୀ ପୋଲିସର ବର୍ବରତାକୁ ନିନ୍ଦା କରିଛି।