Categories: ଜାତୀୟ

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଗିରଫ କର, କୁକି ଉଗ୍ରବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଲା କଂଗ୍ରେସ…

ଗୁଆହାଟୀ,୨୧।୬ : ଜାତିଆଣ ହିଂସାର ନିଆଁରେ ଜଳୁଥିବା ମଣିପୁରରେ ସଶସ୍ତ୍ର ବାହିନୀର ଉପସ୍ଥିତି ସତ୍ତ୍ୱେ ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଗିରଫ କରିବାକୁ କଂଗ୍ରେସ ଦାବି କରିଛି। କୁକି ଉଗ୍ରବାଦୀଙ୍କ ସହ ତାଙ୍କର ସମ୍ପର୍କ ଥିବା ଅଭିଯୋଗ କଂଗ୍ରେସ କରିଛି। ତେବେ କୁକି ଉଗ୍ରବାଦୀ ଗୋଷ୍ଠୀ ସହ ତାଙ୍କ ବିରୋଧରେ ଲିଙ୍କ ଥିବା ଅଭିଯୋଗକୁ ହିମନ୍ତ ଖଣ୍ଡନ କରିଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି।

ଆସାମର ପ୍ରଦେଶ ମହିଳା କଂଗ୍ରେସ ସଭାପତି ମେରା ବୋରଠାକୁର ଗୋସ୍ବାମୀଙ୍କ ଅଭିଯୋଗ ପରେ ହିମନ୍ତ ବିଶ୍ୱ ଶର୍ମାଙ୍କ ଏହି ବିବୃତ୍ତି ଆସିଛି। ଗୋସ୍ବାମୀ ଅଭିଯୋଗ କରିଛନ୍ତି କୁକି ଉଗ୍ରବାଦୀଙ୍କ ଏକ ଦଳ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ୨୦୧୭ ମଣିପୁର ବିଧାନସଭା ନିର୍ବାଚନରେ ସେମାନେ ଭାଜପାକୁ ସାହାଯ୍ୟ କରିଛନ୍ତି।

ଆସାମର ସିଏମଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ନିକଟରେ ମଣିପୁରର କିଛି ଅଣ୍ଡରଗ୍ରାଉଣ୍ଡ ନେତାଙ୍କ ସହ ଲିଙ୍କ ସମ୍ପର୍କରେ କିଛି ଭିତ୍ତିହୀନ ଅଭିଯୋଗ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କରାଯାଇଛି। ସେ କହିଛନ୍ତି ଆମେ ଏପରି କୌଣସି ଉପାଦାନ ସହିତ ଜଡିତ ନୁହଁ। ରିପୋର୍ଟ ଅନୁଯାୟୀ ମେରା ଗୋସ୍ବାମୀ ଏହି ଅଭିଯୋଗ ସମ୍ପର୍କରେ ରାଜ୍ୟ ଡିଜିପିଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ଯେଉଁଥିରେ ଏହି ଅଭିଯୋଗର ଯାଞ୍ଚ କରାଯାଉ ବୋଲି ଦାବି କରାଯାଇଛି।

ଆସାମ କଂଗ୍ରେସ ସଭାପତି ଭୁପେନ ବୋରାହ ଦାବି କରିଛନ୍ତି କୁକି ଉଗ୍ରବାଦୀଙ୍କ ସହାୟତା ନେଇଥିବାରୁ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଏନଏସଏ ଅଧୀନରେ ଗିରଫ କରାଯାଉ। ରିପୋର୍ଟ ଅନୁଯାୟୀ ଶର୍ମା ଜୁନ ୧୧ରେ ମଣିପୁର ଗସ୍ତ ସମୟରେ କୁକି ସମ୍ପ୍ରଦାୟର କିଛି ଉଗ୍ରବାଦୀ ସଂଗଠନର ପ୍ରତିନିଧୀଙ୍କୁ ଭେଟିଥିଲେ।

Share