ଇସ୍ଲାମାବାଦ,୧୧ା୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ତାଙ୍କ ଦଳର ୪ ଜଣ ଶୀର୍ଷ ନେତାଙ୍କ ବିରୋଧରେ ସେଠାର ନିର୍ବାଚନ କମିଶନ ମଙ୍ଗଳବାର ଜାମିନଯୋଗ୍ୟ ଗିରଫ ପରଓ୍ବାନା ଜାରି କରିଛନ୍ତି। ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ର ଏହି ନେତାମାନେ ପାକିସ୍ତାନ ନିବାଚନ କମିଶନ ଏବଂ ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲ୍ତାନ ରାଜାଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ସେମାନଙ୍କ ବିରୋଧରେ ଅବମାନନା ମାମଲା ରୁଜୁ ହୋଇଛି। ନିସାର ଦୁରାନିଙ୍କ ଅଧ୍ୟକ୍ଷାରେ ୪ ସଦସ୍ୟ ବିଶିଷ୍ଟ ନିର୍ବାଚନ କମିଶନ ବେଞ୍ଚ୍ ଇମ୍ରାନ ଓ ତାଙ୍କ ଘନିଷ୍ଠ ସହଯୋଗୀ ଫଓ୍ବାଦ ଚୌଧରୀ, ଅସାଦ ଉମରଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରିଛି। ଗତବର୍ଷ ଅଗଷ୍ଟ ଓ ସେପ୍ଟେମ୍ବରରେ ନିର୍ବାଚନ କମିଶନ ସେମାନଙ୍କୁ ନୋଟିସ୍ କରିଥିଲା। ସେମାନେ ହାଜର ନ ହେବାରୁ ଗିରଫ ପରଓ୍ବାନା ଜାରି ହୋଇଛି।