ବମ୍ବେ: ଅଡ଼ୁଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା କମଲ ଆର୍ ଖାଁ। ସର୍ବଦା ସେ ସୋସିଆଲ ମିଡିଆରେ ଫିଲ୍ମ ନଚେତ ଲୋକପ୍ରିୟ ସେଲିବ୍ରିଟିଙ୍କୁ କଟାକ୍ଷ କରୁଥିବା ଦେଖାଯାଏ। ଗତ ବର୍ଷ ସେ ଭାରତୀୟ ଫିଲ୍ମଜଗତର ବହୁମୁଖୀ ପ୍ରତିଭାଙ୍କ ମଧ୍ୟରୁ ଜଣେ, ମନୋଜ ବାଜପେୟୀଙ୍କୁ କଟାକ୍ଷ କରିଥିଲେ। ଅଭିନେତା କମଲଙ୍କ ବିରୋଧରେ ଇନ୍ଦୋର ଥାନାରେ ମାନହାନି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏବେ ଏହି ମାମଲାରେ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଛି।
୨୦୨୧ରେ ଫିଲ୍ମ ସମୀକ୍ଷକ ବୋଲି ନିଜକୁ କହୁଥିବା କମଲ ମନୋଜଙ୍କୁ ‘ଡ୍ରଗ୍ ଆଡିକ୍ଟ’ ବୋଲି କହିଥିଲେ। ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଛି। ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଛି। ମାମଲାର ଆଗାମୀ ଶୁଣାଣୀ ମେ’ ୧୦ରେ ହେବ ବୋଲି ଅଭିନେତାଙ୍କ ଓକିଲ ପରେଶ ଜୋଶି କହିଛନ୍ତି।