ଉଷା ପାଢ଼ୀଙ୍କ ବିରୋଧରେ ଗିରଫ ପରୱାନା

କଟକ ଅଫିସ,୧୨। ୯: ପ୍ରାଥମିକ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ତତ୍କାଳୀନ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ଉଷା ପାଢ଼ୀଙ୍କ ବିରୋଧରେ ଶୁକ୍ରବାର ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ସାନି ଜାମିନଯୁକ୍ତ ଗିରଫ ପରୱାନା(ବିଏଡବ୍ଲ୍ୟୁ) ଜାରି କରିଛି। ୨୦୧୨ରେ ପାଢ଼ୀ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ସମୟରେ ଶିକ୍ଷକ ନିଯୁକ୍ତିକୁ ନେଇ ହୋଇଥିବା ଅନିୟମିତତାରେ ସମ୍ପୃକ୍ତି ଥିବା ଦର୍ଶାଇ ଏହି ବିଏଡବ୍ଲ୍ୟୁ ଜାରି କରାଯାଇଛି ବୋଲି ଓଡ଼ିଶା ହାଇକୋର୍ଟର ଆଇନଜୀବୀ ସୌମେନ୍ଦ୍ର ବାରିକ ସୂଚନା ଦେଇଛନ୍ତି। ପୂର୍ବରୁ ଟିବ୍ର୍ୟୁନାଲର ଯୁଗ୍ମ ଖଣ୍ଡପୀଠ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ଦୁଇଜଣ ଆବେଦନକାରୀଙ୍କ ମାମଲାର ବିଚାରକରି ଉଭୟଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ। ଫଳରେ ତତ୍କାଳୀନ ସଚିବ ପାଢ଼ୀ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ପାଢ଼ୀ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେଶନରେ ଥାଇ ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଆଇନଜୀବୀ ସୌମେନ୍ଦ୍ରଙ୍କ କହିବାନୁଯାୟୀ, ପାଢ଼ୀଙ୍କ ବିରୋଧରେ ଦ୍ୱିତୀୟଥର ପାଇଁ ବିଏଡବ୍ଲ୍ୟୁ ଜାରି କରାଯାଇଛି। ୨୦୧୫ରେ ଯେତେବେଳେ ପାଢ଼ୀଙ୍କ ବିରୋଧରେ ପ୍ରଥମ ବିଏଡବ୍ଲ୍ୟୁ ଜାରି କରାଯାଇଥିଲା ସେ ସମୟରେ ରାଜ୍ୟ ସରକାର ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ତାଙ୍କ ଗିରଫଦାରି ଉପରେ ରହିତାଦେଶ ସୁପ୍ରିମକୋର୍ଟ ଜାରି କରିଥିଲେ। ହେଲେ ଗତବର୍ଷ ଯେତେବେଳେ ହାଇକୋର୍ଟଙ୍କ ଯୁଗ୍ମ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି ଶେଷ କଲେ, ସେତେବେଳେ ଉକ୍ତ ରହିତାଦେଶ ପାଢ଼ୀଙ୍କ ଉପରୁ ଉଠିଯାଇଥିଲା। ଗତ ଜୁନ୍‌ ୨୮ରେ ଉକ୍ତ ଅଦାଲତ ଅବମାନନା ମାମଲାର ପୁନଃ ଶୁଣାଣି ଆରମ୍ଭ ହେବା ସହ ଦୁଇ ଆବେଦନକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଯଦି ଉକ୍ତ ଦୁଇ ଆବେଦନକାରୀଙ୍କୁ ତୁରନ୍ତ ନିଯୁକ୍ତି ନ ଦିଆଯାଏ ତେବେ ପାଢ଼ୀଙ୍କୁ ଟ୍ରିବ୍ୟୁନାଲ ନିକଟରେ ହାଜର ହେବାକୁ କୁହାଯାଇଥିଲା। ହେଲେ ଜୁଲାଇ ୩୧ ପର୍ଯ୍ୟନ୍ତ ଏ ନେଇ କୌଣସି ପଦକ୍ଷେପ ନ ନିଆଯିବାରୁ ପାଢ଼ୀଙ୍କ ବିରୋଧରେ ସାନି ବିଏଡବ୍ଲ୍ୟୁ ଜାରି କରାଯାଇଥିବା ଜଣାପଡ଼ିଛି। ଏ ନେଇ ପାଢ଼ୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ମତାମତ ମିଳିପାରିନାହିଁ।

Share