ହାସିନାଙ୍କ ମୁଣ୍ଡରେ ଗିରଫ ତଲଓ୍ବାର! ନଭେମ୍ବର ୧୮ରେ କୋର୍ଟରେ ହାଜର ନିର୍ଦ୍ଦେଶ

ଢାକା,୧୬।୧୦: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଗୁରୁବାର ବାଂଲାଦେଶ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ କ୍ଷମତାରୁ ହଟାଯିବା ପରେ ଶେଖ ହସିନା ଭାରତକୁ ପଳାଇଥିଲେ। ବାଂଲାଦେଶର ଅନ୍ତର୍ଜାତୀୟ ଆପରାଧିକ ଟ୍ରିବ୍ୟୁନାଲର ମୁଖ୍ୟ ଓକିଲ ମହମ୍ମଦ ତାଜୁଲ ଇସଲାମ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଗିରଫ କରିବା ଏବଂ ନଭେମ୍ବର ୧୮ରେ ତାଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ସଭାପତି ଜଷ୍ଟିସ ମହମ୍ମଦ ଗୁଲାମ ମୋର୍ତ୍ତେଜା ମଜୁମଦାର ସକାଳ ୧୧.୩୦ ପରେ ଟ୍ରିବ୍ୟୁନାଲ ପ୍ରକ୍ରିୟା ଆରମ୍ଭ କରିଥିଲେ। ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଅନ୍ୟ ୫୦ ଜଣଙ୍କ ବିରୋଧରେ ଗିରଫ ୱାରେଣ୍ଟ ଦାବି କରିଥିଲେ। ନିଖୋଜ ଏବଂ ହତ୍ୟା ସହ ଜଡିତ ୬୦ରୁ ଅଧିକ ମାମଲା ଆୱାମୀ ଲିଗ ଦଳର ନେତା ଶେଖ ହସିନା, ଦେଶର ପୂର୍ବତନ ଆଇନଜୀବୀ ତଥା ସାମ୍ବାଦିକଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲରେ ପଞ୍ଜୀକୃତ ହୋଇଛି।

ଅକ୍ଟୋବର ୧୩ରେ ମୁଖ୍ୟ ଓକିଲ ଆଡଭୋକେଟ ତାଜୁଲ ଇସଲାମ କହିଥିଲେ, ଏହି ସପ୍ତାହ ମଧ୍ୟରେ ଜୁଲାଇରେ ଦେଶରେ ହୋଇଥିବା ଦଙ୍ଗା ଏବଂ ଅଶାନ୍ତିରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ। ଏଥିପାଇଁ ଦେଶ ଛାଡି ପଳାଇଥିବା ସମସ୍ତଙ୍କ ବିରୋଧରେ ଇଣ୍ଟରପୋଲର ସହାୟତା ନିଆଯିବ।

ମହମ୍ମଦ ତାଜୁଲ ଇସଲାମ କହିଛନ୍ତି, ହସିନାଙ୍କ ୧୫ ବର୍ଷର ଶାସନ କାଳରେ ମାନବିକ ଅଧିକାରର ଉଲ୍ଲଂଘନ ଏକ ବଡ଼ ଧରଣର ହୋଇଥିଲା। ସେ ରାଜନୈତିକ ବିରୋଧୀଙ୍କୁ ଜେଲକୁ ପଠାଇଥିଲେ। ଜୁଲାଇରୁ ଅଗଷ୍ଟ ମଧ୍ୟରେ ଦେଶରେ ଘଟିଥିବା ହତ୍ୟାକାଣ୍ଡ ଏବଂ ହତ୍ୟା ଭଳି ଅପରାଧ ପଛରେ ଶେଖ ହସିନା ରହିଥିଲେ। ବାଂଲାଦେଶ ଯିବା ପରଠାରୁ ୭୭ ବର୍ଷୀୟ ହାସିନା ସର୍ବସାଧାରଣରେ ଦେଖା ଦେଇନାହାଁନ୍ତି। ଭାରତରେ ତାଙ୍କ ଉପସ୍ଥିତିକୁ ନେଇ ବାଂଲାଦେଶ ସରକାର ଆପତ୍ତି ଉଠାଇ ହାସିନାଙ୍କ କୂଟନୈତିକ ପାସପୋର୍ଟକୁ ବାତିଲ କରିଛନ୍ତି।

Share