ହାଜତରୁ ଖସି ରହୁଥିଲେ ଜଙ୍ଗଲରେ, ଧରାପଡିଲେ ୩ ବର୍ଷ ପରେ

ସମ୍ବଲପୁର,୮ା୧୦(ବ୍ୟୁରୋ): ସମ୍ବଲପୁର ସମେତ ପଡ଼ୋଶୀ ଜିଲାରେ ପୋଲିସର ନିଦ ହଜାଇଥିବା କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମାଙ୍କୁ ପୋଲିସ ଗିରଫ କରିଛି। ୩ ବର୍ଷ ତଳେ ସେ ମୟୁରଭଞ୍ଜ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ। ଏହାସହ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ମଧ୍ୟ ପୋଲିସ ଧରିଛି। ସେମାନେ ହେଲେ ଯୁଯୁମୁରା ଥାନା ବଡମାଲ ଗ୍ରାମର ପ୍ରମୋଦ କୁମାର ବେହେରା ଓ ରବୀନ୍ଦ୍ର ଧରୁଆ। ଅଭିଯୁକ୍ତମାନଙ୍କ ନିକଟରୁ ଲୁଟ୍‌ ହୋଇଥିବା ଲାପ୍‌ଟପ୍‌, ଟାବ୍‌ଲେଟ, ୧୦ଟି ମୋବାଇଲ ଫୋନ, ୪ ହଜାର ନଗଦ ଟଙ୍କା ଜବତ ହୋଇଥିବା ଏସ୍‌ପି ଅଫିସ ପରିସରରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବାତୁଲା ଗଙ୍ଗାଧର ଏହି ସୂଚନା ଦେଇଛନ୍ତି।

ପ୍ରାୟ ୧୦ବର୍ଷ ହେବ ଟିମା ବିଭିନ୍ନ ଜିଲାରେ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ରହିଥିଲେ। ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ କରିବା ତାଙ୍କର ମୁଖ୍ୟ ଟାର୍ଗେଟ ଥିଲା। ମାରପିଟ, ଦାଦାବଟି ଅସୁଲି ଓ କୁଚିଣ୍ଡା ଅଞ୍ଚଳରେ ବନ୍ଧୁକ ଦେଖାଇ ଭୟଭୀତ କରିବା ଅଭିଯୋଗରେ ୨୦୧୮ରେ ତାଙ୍କୁ ଗିରଫ କରାଯାଇଥିଲା। ରିମାଣ୍ଡରେ ନେବା ସମୟରେ ମୟୁରଭଞ୍ଜ ପୋଲିସ ହେପାଜତରୁ ସେ ଫେରାର ହୋଇ ୪ ଜିଲାର ପୋଲିସକୁ ନାକେଦମ କରି ରଖିଥିଲେ। ଘରକୁ ଯିବାଆସିବା କମ୍‌ କରୁଥିବାବେଳେ ସ୍ଥାନୀୟ ଜଙ୍ଗଲରେ ରହୁଥିଲେ। ତେଣୁ ପୋଲିସକୁ ଧରିବାରେ କଷ୍ଟକର ହେଉଥିଲା। ଏଥିପାଇଁ ଗଠନ ହୋଇଥିବା ପୋଲିସ ଟିମ୍‌ ତାଙ୍କ ଗଁା ପାଖରେ ଭଡା ଘର ନେଇ ରହୁଥିଲା। ଏହି ଟିମ୍‌ ପ୍ରାୟ ୩ ମାସ ହେଲା ଅଭିଯୁକ୍ତଙ୍କ ଗ୍ରାମ ତଥା ଆଖପାଖ ଗ୍ରାମରେ ପହରା ଦେଉଥିଲା। ଗୁରୁବାର ରାତିରେ ସେ ଗଁାକୁ ଆସିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୋଲିସ ଟିମ୍‌ ଚଢାଉ କରି ତାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ନାମରେ ଯୁଯୁମୁରା, ଧମା, ଶାସନ, ସଦର, ମହୁଲପାଲି, ଠେଲକୋଲି, ଅଇଁଠାପାଲି, ରେଢାଖୋଲ ଥାନା ସମେତ ବଲାଙ୍ଗୀର ଜିଲା, ଝାରସୁଗୁଡ଼ା ଜିଲା, ମୟୁରଭଞ୍ଜ ଜିଲାର ବିଭିନ୍ନ ଥାନାରେ ମାମଲା ରହିଛି। କିଛିଦିନ ପୂର୍ବରୁ ସେ ଯୁଯୁମୁରା ଓ ଧମା ଥାନା ଅଞ୍ଚଳରେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଓ ଅନ୍ୟ ସାମଗ୍ରୀ ଲୁଟ୍‌ କରିଥିଲେ।

Share