Categories: ଜାତୀୟ

ହତ୍ୟା ପରେ ସ୍ତ୍ରୀଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ଫୋପାଡ଼ି ଦେଲେ

ହାଇଦ୍ରବାଦ,୧।୭: ଆନ୍ଧ୍ର ପ୍ରଦେଶର ତିରୁପତିରେ ଏକ ସୁଟକେସରୁ ମିଳିଥିବା ୨୭ ବର୍ଷୀୟା ମହିଳା ଇଞ୍ଜିନିୟରଙ୍କ ହତ୍ୟା ମାମଲାରେ ତାଙ୍କ ସ୍ବାମୀକୁ ଗିରଫ କରିଛି ପୋଲିସ। ମୃତକ ଭୁବନେଶ୍ୱରୀ ହାଇଦ୍ରାବାଦରେ କଗନିଜାଣ୍ଟ କମ୍ପାନୀରେ କାମ କରୁଥିଲେ। ତାଙ୍କ ସ୍ବାମୀ ଶ୍ରୀକାନ୍ଥ ରେଡ୍ଡୀ ମଧ୍ୟ ଜଣେ ଇଞ୍ଜିନିୟର।

ଗତ ୨୩ ତାରିଖରେ ତିରୁପତିର ରୁଇଆ ହସ୍ପିଟାଲ ନିକଟରୁ ଏକ ସୁଟକେସରୁ ମିଳିଥିଲା ସମ୍ପୂର୍ଣ୍ଣ ଜଳି ଯାଇଥିବା ମହିଳାଙ୍କ ମୃତଦେହ। ଏହାର ପର ଦିନ ଜଣେ ଟାକ୍ସି ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା।

ପଚରାଉଚୁରା ପରେ ଡ୍ରାଇଭର କହିଥିଲେ, ଶ୍ରୀକାନ୍ଥ ରେଡ୍ଡୀ ନାମକ ଜଣେ ଗ୍ରାହକ ଛୁଆଙ୍କ ସହ ଉକ୍ତ ସୁଟକେସ ଆଣିଥିଲେ। ଛୁଆକୁ ଗାଡ଼ିରେ ଛାଡ଼ି ସୁଟକେସରେ ଆଣିଥିବା ମୃତଦେହକୁ ଜାଳି ଦେଇଥିଲେ। ଅନ୍ୟପକ୍ଷରେ କରୋନାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କୁ କହିଥିଲେ ଶ୍ରୀକାନ୍ଥ। ଭୁବନେଶ୍ୱରୀଙ୍କ ସମ୍ପର୍କୀୟ ମମାଥ ଆପର୍ଟମେଣ୍ଟର ସିସିଟିଭି ଫୁଟେଜ ଶେୟାର କରିଥିଲେ। ଉକ୍ତ ଫୁଟେଜରେ ଶ୍ରୀକାନ୍ଥ ଗୋଟିଏ ହାତରେ ଛୁଆକୁ ଧରିଥିବାବେଳେ ଅନ୍ୟ ହାତରେ ସୁଟକେସକୁ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଥିଲା। ଟାକ୍ସି ଡ୍ରାଇଭରର ବୟାନ ଓ ସିସିଟିଭ ଫୁଟେଜ ପରେ ଫୋନକୁ ଟ୍ରାକ କରି ଶ୍ରୀକାନ୍ତଙ୍କୁ ଧରିଥିଲା ପୋଲିସ। ଦୁହେଁ ଅଢ଼େଇ ବର୍ଷ ପୂର୍ବେ ବିବାହ କରିଥିଲେ। ଗତ କିଛି ମାସ ହେଲା ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share